ଈଶ୍ୱରଙ୍କ ଯୋଜନା


ଜଣେ ସାଧୁ ଗଙ୍ଗାନଦୀ ତୀରରେ ଧ୍ୟାନରତ ଥିଲେ । ସ୍ଥାନୀୟ ଲୋକେ ତାଙ୍କ ନିକଟକୁ ଉପଦେଶ ପାଇବା ପାଇଁ ଯାଆନ୍ତି । ସାଧୁ ପ୍ରାୟତଃ ତାଙ୍କ ପ୍ରବଚନରେ କୁହନ୍ତି ଯେ - ପ୍ରତ୍ୟେକ କାମ ପଛରେ ଈଶ୍ୱରଙ୍କ ଯୋଜନା ଏବଂ ଆଶୀର୍ବାଦ ରହିଛି । ତେଣୁ କୌଣସି କଥାରେ ବିଚଳିତ ହୁଅନାହିଁ । ତେବେ ଏଭଳି ଉପଦେଶ ଦେଉଥିବା ସାଧୁ ବାସ୍ତବରେ କ୍ରୋଧ, ହିଂସା, ଦ୍ୱେଷ ଆଦି ଉପରେ ନିୟନ୍ତ୍ରଣ ପାଇପାରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ଜଣେ ଜମିଦାରଙ୍କର ଇଚ୍ଛା ହେଲା । ଏହାସହ ସାଧୁଙ୍କ ପ୍ରତି ତାଙ୍କ ମନରେ ବିଦ୍ୱେଷ ମଧ୍ୟ ରହିଥିଲା । ଲୋକେ ତାଙ୍କ ତୁଳନାରେ ସାଧୁଙ୍କୁ ବେଶୀ ସମ୍ମାନ କରୁଥିଲେ ଏହା ହିଁ ଥିଲା ତାଙ୍କ ବିଦ୍ୱେଷର କାରଣ । ତହୁଁ ଜମିଦାର ଜଣେ ସ୍ଥାନୀୟ ଦୁଷ୍ଟ ବାଳକକୁ ସାଧୁଙ୍କ ଉପରେ ଆବର୍ଜନା ପକାଇବା ପାଇଁ ପଇସା ଦେଇ ନିଯୁକ୍ତ କଲେ । ବାଳକଟି ସେଇଆ କଲା । ତେବେ ସେ ଯେତେଥର ଆବର୍ଜନା ପକାଉଥାଏ, ସାଧୁ ସେତେଥର ନିଜ ସ୍ଥାନରୁ ଉଠିଯାଇ ନଦୀରେ ସ୍ନାନ କରିଆସୁଥାଆନ୍ତି । ଏପରି ଶତାଧିକଥର ହୋଇଗଲା । ଶେଷରେ ବାଳକଟି ଭୟ ଏବଂ ଅନୁଶୋଚନାରେ କାନ୍ଦି କାନ୍ଦି ଯାଇ ସାଧୁଙ୍କ ନିକଟରେ କ୍ଷମାପ୍ରାର୍ଥନା କରିବା ସହ ଜମିଦାର ତାକୁ ପଇସା ଦେଇ ଏପରି କରିବା ପାଇଁ କହିଥିଲେ ବୋଲି ସ୍ୱୀକାର କଲା । ସାଧୁ ହସି ହସି କହିଲେ - କିଛି ଚିନ୍ତା ନାହିଁ । ତୁ ବାସ୍ତବରେ ମୋର ବହୁଦିନର ଇଚ୍ଛା ପୂରଣ କରିଛୁ । ବହୁଦିନ ତଳେ ମୁଁ ମାନସିକକରିଥିଲି ଗଙ୍ଗାରେ ଶହେ ଏକଥର ବୁଡ଼ ପକାଇବି । ଆଜି ସେହି ଇଚ୍ଛା ଈଶ୍ୱରଙ୍କ ଯୋଜନା ଏବଂ ତୋ ମାଧ୍ୟମରେ ପୂରଣ ହୋଇଗଲା । ସାଧୁଙ୍କ କଥା ଶୁଣି ଜମିଦାର ମଧ୍ୟ ଲଜ୍ଜିତ ହେଲେ ଏବଂ ସାଧୁଙ୍କ ନିକଟକୁ ଯାଇ କ୍ଷମାପ୍ରାର୍ଥନା କଲେ ।

November 2017
Mo Tu We Th Fr Sa Su
30 31 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 1 2 3