ଆମ କଥା

 


ଜଣେ ବ୍ୟକ୍ତିର ମନ ବହୁତ ଉଦ୍ବିଗ୍ନ ରହୁଥିଲା । ସେହି କାରଣରୁ କୌଣସି କାମରେ ତା’ର ମନ ଲାଗୁନଥିଲା । ଜଣେ ଶୁଭଚିନ୍ତକ ତାକୁ କହିଲେ ଯେ ପାଖ ନଗରୀରେ ଜଣେ ସନ୍ଥ ରହୁଛନ୍ତି । ତାଙ୍କୁ ଭେଟିଲେ ଏଥିରୁ ମୁକୁଳିବାର ଉପାୟ ସେ କହିବେ । ବ୍ୟକ୍ତି ସନ୍ଥଙ୍କ ପାଖରେ ପହଞ୍ଚି କହିଲା, ‘ମହାତ୍ମା! ଗତ କିଛି ଦିନରୁ ମୁଁ ବହୁତ ଚିନ୍ତାରେ ରହୁଛି । ଜୀବନର ସତ୍ୟ ବିଷୟରେ ମୋର ଜ୍ଞାନ ଅଛି । ଶାସ୍ତ୍ର ଅଧ୍ୟୟନ ମଧ୍ୟ କରିଛି । ତଥାପି ମୋ ମନ କୌଣସି କାମରେ ଲାଗୁନାହିଁ । ଯେତେବେଳେ କୌଣସି କାମ କରିବାକୁ ଚାହୁଁଛି, ମନ ଆୟତ୍ତରେ ରହୁନାହିଁ । ମୁଁ କାମ ଛାଡ଼ିଦେଉଛି । ମୋର ଏହି ଅସ୍ଥିରତାର କାରଣ କ’ଣ? ଦୟା କରି ମୋର ସମସ୍ୟା ସମାଧାନ କରନ୍ତୁ ।’ ତା’ କଥା ଶୁଣି ସନ୍ଥ କହିଲେ, ‘ବତ୍ସ, କାଲି ରାତିରେ ତୁମେ ମୋ ପାଖକୁ ଆସିବ । କାଲି ପୂର୍ଣ୍ଣିମା । ମୁଁ ତୁମ ସମସ୍ୟାର ସମାଧାନ କରିଦେବି ।’ ପର ଦିନ ବ୍ୟକ୍ତି ଜଣକ ନିର୍ଦ୍ଧାରିତ ସମୟରେ ସନ୍ଥଙ୍କ ପାଖରେ ପହଞ୍ଚିଲା ଏବଂ ସମସ୍ୟା ସମାଧାନ କରିବା ନିମିତ୍ତ ନିବେଦନ କଲା । ସନ୍ଥ ତାକୁ ଏକ ନଦୀ ପାଖକୁ ନେଇଗଲେ । ପାଣିରେ ଚନ୍ଦ୍ରଙ୍କ ଚିକ୍ମିକ୍ ପ୍ରତିବିମ୍ବ ଦେଖାଇ କହିଲେ, ‘ବତ୍ସ ଗୋଟିଏ ଚନ୍ଦ୍ର ଆକାଶରେ, ଆଉ ଗୋଟିଏ ନଦୀରେ । କିନ୍ତୁ ନଦୀରେ ଥିବା ଚନ୍ଦ୍ର ତ ଅସଲି ଚନ୍ଦ୍ରର ପ୍ରତିବିମ୍ବ ମାତ୍ର । ତୁମ ମନ ଏହି ନଦୀ ଭଳି । ତୁମ ପାଖରେ ଜ୍ଞାନ ଅଛି, କିନ୍ତୁ ପ୍ରୟୋଗ କରିବା ବଦଳରେ କେବଳ ତାକୁ ମନରେ ନେଇ ବସିଛ । ନଦୀ ଯେମିତି ଅସଲି ଚନ୍ଦ୍ରଙ୍କ ପ୍ରତିବିମ୍ବ ନେଇ ବସିଛି, ଠିକ୍ ସେହିଭଳି । ତୁମ ଜ୍ଞାନ ସେତେବେଳେ ସାର୍ଥକ ହେବ, ଯେତେବେଳେ ଏକାଗ୍ରତାର ସହ ତାକୁ ବ୍ୟବହାର କରିବ । ନଦୀର ଚନ୍ଦ୍ର ଏକ ଭ୍ରମ ମାତ୍ର । ମୁକ୍ତ ଆକାଶର ଚନ୍ଦ୍ରମା ସହ ସେ କ’ଣ ସମାନ ହୋଇପାରିବ? ସେହିପରି କାମରେ ମନ ଲଗାଇବାକୁ ହେଲେ ତୁମକୁ ଆକାଶର ଚନ୍ଦ୍ରମା ଭଳି ହେବାକୁ ହେବ । ପାଣିରେ ଗୋଡ଼ି, ପଥର ପଡ଼ିଗଲେ ନଦୀର ଚନ୍ଦ୍ର ଦୋହଲିଯାଏ । ସେହିଭଳି ତୁମ ମନ ବି ଛୋଟ ଛୋଟ କଥାରେ ଦୋହଲିଯାଉଛି । ମନକୁ ଗୋଟିଏ ଜାଗାରେ ଏକାଗ୍ର କରିବାକୁ ପ୍ରୟାସ କର । ନିଜ ଜ୍ଞାନ ଓ ବିବେକକୁ ଜୀବନରେ ନିୟମପୂର୍ବକ ପ୍ରୟୋଗ କରିବାକୁ ହେବ । ତେବେ ତୁମେ ଲକ୍ଷ୍ୟ ହାସଲ କରିପାରିବ ।’ ଏହା ଶୁଣି ବ୍ୟକ୍ତିର ସମସ୍ୟା ସମାଧାନ ହୋଇଗଲା ।

March 2019
Mo Tu We Th Fr Sa Su
25 26 27 28 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 31