ଦାନର ମହିମା

ଦିନେ ଜଣେ ଭିକାରୀ ସକାଳୁ ସକାଳୁ ଭିକ ମାଗିବାକୁ ବାହାରିଲା । ଗଲା ବେଳକୁ ସେ ତା’ ଝୁଲାରେ ମୁଠାଏ ଶସ୍ୟ ପକେଇଦେଲା । ତା’ ମନରେ ଏକ କୁସଂସ୍କାର ବସା ବାନ୍ଧି ଥିଲା ଯେ ଘରୁ ବାହାରିଲା ବେଳେ ଝୁଲା ଖାଲି ରଖିବା ଉଚିତ ନୁହେଁ । ଝୁଲା ଖାଲି ରଖି ଭିକ ମାଗିବାକୁ ଗଲେ ସେଦିନ ତାକୁ କିଛି ବି ମିଳିବ ନାହିଁ । ଝୁଲାରେ କିଛି ଥିବାର ଦେଖିଲେ ହୁଏତ କିଏ ଭାବିବ ଯେ ତାକୁ ଆଗରୁ କିଛି ଭିକ ମିଳିସାରିଛି । ସେଦିନ ଥିଲା ପୂର୍ଣ୍ଣିମା । ଭିକାରୀ ଭାବୁଥିଲା ଭଗବାନଙ୍କ କୃପା ହେଲେ ସନ୍ଧ୍ୟା ପୂର୍ବରୁ ତା’ ଝୁଲା ଭର୍ତ୍ତି ହୋଇଯିବ । ମନେ ମନେ ସେ ଭଗବାନଙ୍କୁ ପ୍ରାର୍ଥନା ମଧ୍ୟ କରୁଥିଲା । ଅଚାନକ ସେହି ରାସ୍ତାରେ ଜଣେ ରାଜାଙ୍କ ସବାରୀ ଆସୁଥିଲା । ଭିକାରୀ ମନେ ମନେ ଭାରି ଖୁସି ହୋଇଗଲା । ଭାବିଲା ରାଜାଙ୍କ ଦର୍ଶନ ଓ ତାଙ୍କଠାରୁ ମିଳିବାକୁ ଥିବା ଦାନରେ ତା’ର ସମସ୍ତ ଦାରିଦ୍ର୍ୟ ଦୂର ହୋଇଯିବ । ଏପରି ହୋଇପାରିଲେ ତା’ ଜୀବନ ସୁଖ ଓ ସମୃଦ୍ଧିରେ ଭରି ଉଠିବ । ରାଜା ଭିକାରୀଟିର ଯେତେ ନିକଟବର୍ତ୍ତୀ ହେଉଥିଲେ ଭବିଷ୍ୟତର କଳ୍ପନାକୁ ନେଇ ତା’ ମନରେ ସେତିକି ଉତ୍ତେଜନା ଭରି ଉଠୁଥିଲା । ଶେଷରେ ରାଜା ତା ପାଖରେ ଆସି ରଥ ଅଟକାଇଲେ ଓ ତା’ ଆଡକୁ ଆସିଲେ । ଭିକାରୀ ପ୍ରବଳ ଆଗ୍ରହରେ ନିଜ ଝୁଲା ରାଜାଙ୍କ ଆଡକୁ ବଢାଇବା ପୂର୍ବରୁ ଦେଖିଲା ରାଜା ତାଙ୍କ ଝୁଲା ଭିକାରୀ ଆଡକୁ ବଢେଇଛନ୍ତି । ଭିକାରୀ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା । ଭାବିଲା ଏତେ ଐଶ୍ୱର୍ଯ୍ୟରେ ଥାଇ ବି ରାଜା କିପରି ଭିକାରୀ ଆଗରେ ହାତ ପାତୁଛନ୍ତି? ଏଥିପାଇଁ ସେ ମନେ ମନେ ରାଗିଲା ଓ ଦୁଃଖିତ ବି ହେଲା । ଅନିଚ୍ଛାସତ୍ତ୍ୱେ ନିଜ ଝୁଲାରୁ ମାତ୍ର ଦୁଇଟା ଦାନା ବାହାର କରି ରାଜାଙ୍କ ଝୁଲାରେ ପକେଇଲା । ରାଜା ଟିକେ ହସିଦେଇ ସେଠାରୁ ଚାଲିଗଲେ । ଭିକାରୀର ସେଦିନ ଆଉ ଭିକ ମାଗିବାକୁ ଇଚ୍ଛା ହେଲା ନାହିଁ । ଘରକୁ ଫେରି ସେ ଝୁଲାରୁ ଦାନାତକ ବାହାର କଲା ବେଳକୁ ଯାହା ଦେଖିଲା ସେଥିରେ ତାର ଆଶ୍ଚର୍ଯ୍ୟର ସୀମା ରହିଲାନି । ମୁଠାଏ ଦାନା ମଧ୍ୟରେ ଦୁଇଟା ଦାନା ସୁନାର ହୋଇଯାଇଥିଲା । ସେ ଏଥର ଜାଣି ପାରିଲା ଏହା ହେଉଛି ତା ଦାନର ମହିମା । ସେ ଭାବୁଥିଲା ଯଦି ସବୁତକ ଦାନା ଦାନ କରିଦେଇଥାନ୍ତା ତେବେ ଆଜି ତା ଝୁଲା ସୁନା ଦାନାରେ ପୂରି ଯାଇଥାନ୍ତା ।

January 2019
Mo Tu We Th Fr Sa Su
31 1 2 3 4 5 6
7 8 9 10 11 12 13
14 15 16 17 18 19 20
21 22 23 24 25 26 27
28 29 30 31 1 2 3