କଳିଯୁଗରେ ଜ୍ଞାନ-ବୈରାଗ୍ୟ

ଦେବଶ୍ରୀ ନାରଦ କଳିଯୁଗର କ୍ରମ ଦେଖି ପୃଥିବୀଲୋକରେ ଭ୍ରମଣ କରୁଥିଲେ । ଭମ୍ରଣ କରୁ କରୁ ବୃନ୍ଦାବନ ନଗରୀରେ ପହଞ୍ଚିଲେ । ସେଠାରେ ପହଞ୍ଚି ଦେଖିଲେ, ଜଣେ ମହିଳା ବିଳାପ କରୁଛି ଓ ତା’ ପାଖରେ ଦୁଇଜଣ ପୁରୁଷ ଅଚେତ ହୋଇ ପଡ଼ିଛନ୍ତି । ନାରଦ କାରଣ ପଚାରିବାରୁ ମହିଳା ଦୁଃଖୀ ସ୍ୱରରେ କହିଲା “ମହାତ୍ମା! ମୁଁ ଭକ୍ତି । ମୋର ଏ ଦୁଇଜଣ ପୁତ୍ର ଜ୍ଞାନ ଓ ବୈରାଗ୍ୟ । ଏମାନେ ଅସମୟରେ ବୃଦ୍ଧ ହୋଇଗଲେ ଓ ମୂର୍ଚ୍ଛିତ ହୋଇପଡ଼ିଲେ । କେହି ଏମାନଙ୍କୁ ଉଠାଇ ପାରିଲେ ମୋ ଦୁଃଖ ଦୂର ହୋଇଯିବ ।” ନାରଦ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କଲେ । ବେଦ ପାଠରେ ସେମାନଙ୍କ ଶରୀରରେ ସାମାନ୍ୟ ହଲଚଲ ମଧ୍ୟ ହେଲା, କିନ୍ତୁ ମୂର୍ଚ୍ଛା ଭଙ୍ଗ ହେଲାନାହିଁ । ନାରଦ ଦୁଃଖରେ ପରମପିତା ପରମାତ୍ମାଙ୍କୁ ପ୍ରାର୍ଥନା କଲେ । ଏହି ସମୟରେ ଆକାଶବାଣୀ ହେଲା “ହେ ନାରଦ, ଆପଣଙ୍କ ପ୍ରୟାସ ଉତ୍ତମ । କିନ୍ତୁ କେବଳ ବେଦପାଠରେ ଏମାନଙ୍କ ମୂର୍ଚ୍ଛା ଦୂର ହେବନାହିଁ । ସନ୍ଥଙ୍କଠାରୁ ପରାମର୍ଶ ନେଇ କିଛି ସତ୍କର୍ମ କର । ତେବେ ଜ୍ଞାନ ଓ ବୈରାଗ୍ୟ ପ୍ରତିଷ୍ଠିତ ହେବେ ।” ଏହା ଶୁଣି ସନ୍ଥଙ୍କ ପରାମର୍ଶ ନେବା ପାଇଁ ନାରଦ ବାହାରି ପଡ଼ିଲେ । କେଉଁ ସତ୍କର୍ମ ଦ୍ୱାରା ଏ ଦୁହିଁଙ୍କ ମୂର୍ଚ୍ଛା ଭଙ୍ଗ ହେବ, ଏ ନେଇ ସେ ସମସ୍ତ ସନ୍ଥଙ୍କୁ ପଚାରିଲେ । କିନ୍ତୁ ସମାଧାନ ମିଳିଲା ନାହିଁ । ଶେଷରେ ବଦରୀ ବିଶାଳ କ୍ଷେତ୍ରରେ ସନକାଦିକ ମୁନିମାନଙ୍କ ସହ ତାଙ୍କର ଭେଟ ହେଲା । ସେମାନେ ସମସ୍ତ ବିଷୟ ଧ୍ୟାନପୂର୍ବକ ଶୁଣିଲେ ଏବଂ କହିଲେ “ନାରଦ ମହାଶୟ, ଆପଣଙ୍କ ଭାବନା ଦିବ୍ୟ । କଳି ପ୍ରଭାବରେ ମୂର୍ଚ୍ଛିତ ଜ୍ଞାନ ଓ ବୈରାଗ୍ୟଙ୍କ ମୂର୍ଚ୍ଛା ଦୂର କରିବା ପାଇଁ ଜ୍ଞାନଯଜ୍ଞ ହିଁ ଏକମାତ୍ର ସତ୍କର୍ମ । ଏହାର ପ୍ରଭାବ ନିଶ୍ଚିତ ଭାବେ ପଡ଼ିବ । ଜ୍ଞାନଯଜ୍ଞ ପାଇଁ ବେଦାଦି ପ୍ରୟୋଗ ମଧ୍ୟ ଠିକ୍ । କିନ୍ତୁ କଳିରେ ତାହା ବୋଧଗମ୍ୟ ନହେବାରୁ ତା’ର ପ୍ରଭାବ କମିଯାଉଛି । ତେଣୁ ଆମ ରାୟ ଏହି ଯେ ଆପଣ କଥା ମାଧ୍ୟମରେ ଜ୍ଞାନଯଜ୍ଞ କରନ୍ତୁ । ତାହା ନିଶ୍ଚିତ ରୂପେ ସଫଳ ହେବ ।” ନାରଦ ଏହା ଶୁଣି ସନତ୍ କୁମାରଙ୍କ ସହ ଗଙ୍ଗା କୂଳର ଆନନ୍ଦବନରେ ପହଞ୍ଚିଲେ । ସେଠାକାର ପବିତ୍ର ବାତାବରଣରେ ଧର୍ମ ଧାରଣାର ବିସ୍ତାର ହେତୁ ଦୁଷ୍ଟାନ୍ତ ମାଧ୍ୟମରେ ଯଜ୍ଞକଥାର ଶୁଭାରମ୍ଭ କଲେ । ତାଙ୍କ ପ୍ରୟାସ ଖୁବ୍ଶୀଘ୍ର ଫଳ ଦେବା ଆରମ୍ଭ କଲା । ତାଙ୍କର ଏହି ସକ୍ରିୟତାରୁ ଋଷିଙ୍କୁ ମଧ୍ୟ ପ୍ରେରଣା ମିଳିଲା । ଏହିଭଳି କଳିଯୁଗରେ ଜ୍ଞାନ ଓ ବୈରାଗ୍ୟ ପୁନଃ ପ୍ରତିଷ୍ଠିତ ହେବାରେ ଲାଗିଲା ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6