ଭବିଷ୍ୟ ଚିନ୍ତା ବୃଥା


ଜଣେ ସେଠ୍ ଭବିଷ୍ୟକୁ ନେଇ ସର୍ବଦା ଆଶଙ୍କାରେ ରହୁଥିଲେ । ନକାରାତ୍ମକ ଚିନ୍ତନ ଯୋଗୁଁ ଘରେ ଅନ୍ୟମାନଙ୍କ ସହ ତାଙ୍କର କଳହ ହେଉଥିଲା । ସନ୍ଧ୍ୟାରେ ଦୋକାନରୁ ଘରକୁ ଫେରିବା ପରେ ଭବିଷ୍ୟତର ସମ୍ଭାବ୍ୟ କଠିନତାକୁ ନେଇ ତିଳ କୁ ତାଳ କରୁଥିଲେ । ଘରର ସବୁ ସଦସ୍ୟ ଏବଂ ଖାସ୍କରି ପତ୍ନୀ ଏ ନେଇ ଖୁବ୍ ଚିନ୍ତାରେ ରହୁଥିଲେ । ଏହା ସେଠ୍ଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା । ପତ୍ନୀ ଧୀରେ ଧୀରେ ବୁଝିଗଲେ ଯେ ଅଯଥା ନକାରାତ୍ମକ ଚିନ୍ତାରେ ବୁଡ଼ି ରହିବା କାରଣରୁ ପତିଙ୍କର ଏଭଳି ଅବସ୍ଥା ହୋଇଛି । ସେଠ୍ଙ୍କ ଚିନ୍ତନ ସୁଧାରିବା ପାଇଁ ପତ୍ନୀ ଏକ ନାଟକ ରଚିଲେ । ଦିନେ ସପରେ ଶୋଇ କାନ୍ଦିବା ଆରମ୍ଭ କଲେ । ଘରର କୌଣସି କାମ ମଧ୍ୟ କଲେ ନାହିଁ । ସନ୍ଧ୍ୟାରେ ସେଠ୍ ଦୋକାନରୁ ଫେରିଲେ । ପତ୍ନୀଙ୍କୁ ଏଭଳି ଅବସ୍ଥାରେ ଦେଖି ତାଙ୍କର ଚିନ୍ତା ବଢ଼ିଗଲା । ଉଦାସ ହେବାର କାରଣ ସେ ପତ୍ନୀଙ୍କୁ ପଚାରିଲେ । ପତ୍ନୀ କହିଲେ “ନଗରୀକୁ ଜଣେ ଜ୍ଞାନୀ ଜ୍ୟୋତିଷ ଆସିଛନ୍ତି । ଲୋକେ କହୁଛନ୍ତି ସେ ତ୍ରିକାଳଦର୍ଶୀ । ତାଙ୍କ କଥା କେବେ ମିଛ ହୁଏନାହିଁ । ପଡ଼ୋଶୀଙ୍କ କଥାରେ ଆଜି ମୁଁ ବି ତାଙ୍କ ନିକଟକୁ ଗଲି । ସେ ମୋ ହାତ ଦେଖି କହିଲେ “ମୁଁ ୭୦ବର୍ଷ ପର୍ଯ୍ୟନ୍ତ ବଞ୍ଚିବି ଓ ମୋର ଆଠଟି ପିଲା ହେବେ । ୭୦ବର୍ଷ ପର୍ଯ୍ୟନ୍ତ କେତେ ସମ୍ପତ୍ତି ଖାଇଯିବି, ସେକଥା ଭାବି ମୁଁ ଉଦାସ । ତା’ଛଡ଼ା ୮ଟି ପିଲା ଜନ୍ମ ଦେବାରେ ମୋତେ କେତେ ପ୍ରସବ ପୀଡ଼ା ସହ୍ୟ କରିବାକୁ ପଡ଼ିବ । ସେମାନଙ୍କୁ ପାଳି ପୋଷି ସମର୍ଥ କରିବାରେ ବି କେତେ ଶ୍ରମ-ଧନ ଆବଶ୍ୟକ ହେବ । ଏ ସମସ୍ତ ବୋଝ ଉଠାଉ ଉଠାଉ ମୋ ପ୍ରାଣ ଛାଡ଼ିଯିବ ।” ସେଠ୍ ତାଙ୍କୁ ବୁଝାଇ କହିଲେ “ଆରେ ପାଗଳୀ, ଏସବୁ କ’ଣ ଗୋଟିଏ ଦିନରେ ହୋଇଯିବ । ସମୟ ସହିତ ହେବ ଏବଂ ଖର୍ଚ୍ଚ ବି ସେହିପରି ହେବ । ତୁ ତୁଚ୍ଛାଟାରେ ଚିନ୍ତା କରୁଛୁ ।” ଏହା ଶୁଣି ପତ୍ନୀ ସଙ୍ଗେସଙ୍ଗେ କହିଲା “ତୁମେ ସବୁଦିନ ଭବିଷ୍ୟତ କଥା ଚିନ୍ତାକରି ଦୁଃଖରେ ରହୁଛ, କଷ୍ଟ ପାଉଛ ଏବଂ ଆମକୁ ବି କଷ୍ଟ ଦେଉଛ । ତୁମେ ବି କାହିଁକି ଚିନ୍ତା କରୁନ, ସମୟ ଅନୁସାରେ ସମସ୍ୟା ଆସିବ ଓ ତା’ର ସମାଧାନ ବି ବାହାରିବ । ଏବେ ସେ ବିଷୟରେ ଚିନ୍ତା କରିବାରେ କୌଣସି ଲାଭ ନାହିଁଚ” ଏହା ଶୁଣି ସେଠ୍ ନିଜ ଭୁଲ ବୁଝିପାରିଲେ ଏବଂ ମନର ଦ୍ୱିଧା ଦୂର କରିବା ପାଇଁ ପତ୍ନୀକୁ ଧନ୍ୟବାଦ ଦେଲେ ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6