କର୍ମଯୋଗର ମର୍ମ


ଜଣେ ଧୋବାର ଏକ ଗଧ ଖୁବ୍ ଉଦାସ ରହୁଥିଲା । ତା’ର ଗୋଟିଏ ଦୁଃଖ ଥିଲା । ମାଲିକ ସବୁଦିନ ଓଜନିଆ କପଡ଼ା ଗଣ୍ଠିଲି ତା’ ଉପରେ ଲଦି ଧୋଇବା ପାଇଁ ନଦୀଘାଟକୁ ନେଇଯାଏ । ଧୋଇବା ପରେ କପଡ଼ା ଆହୁରି ଓଜନିଆ ହୋଇଯାଏ ଏବଂ ପୁଣି ତା’ ପିଠିରେ ଲଦି ଘରକୁ ଆଣିଥାଏ । ଧୋବା କିନ୍ତୁ ଗଧର ଖୁବ୍ ଯତ୍ନ ନିଏ । ତାକୁ ଖାଇବାକୁ ଘାସ ବି ଯଥେଷ୍ଟ ଦିଏ । ତଥାପି ଗଧ ଦୁଃଖୀ ରହୁଥିଲା । ସବୁଦିନ ଭଳି ଥରେ ସେ ଓଜନିଆ କପଡ଼ା ଗଣ୍ଠିଲି ପିଠିରେ ଲଦି ଯାଉଥିଲା । ଜଣେ ମହର୍ଷି ସେହିବାଟ ଦେଇ ଯାଉଥିଲେ । ଗଧ ପାଖରେ ଗୋଟିଏ ପିମ୍ପୁଡ଼ି ଚିନି ଦାନାଟିଏ ବୋହି ନେଉଥିବା ସେ ଦେଖିଲେ । ତଳକୁ ନଇଁପଡ଼ି ପିମ୍ପୁଡ଼ିକୁ ପ୍ରଣାମ ଜଣାଇଲେ । ଏହା ଦେଖି ଗଧ ଆଶ୍ଚର୍ଯ୍ୟ ହେଲା । ପିମ୍ପୁଡ଼ିକୁ ପ୍ରଣାମ କରିବାର କାରଣ ସେ ମହର୍ଷିଙ୍କୁ ପଚାରିଲା । ମହର୍ଷି କହିଲେ “ଏ ପିମ୍ପୁଡ଼ି ବଡ଼ କର୍ମଯୋଗୀ ଏବଂ ନିଷ୍ଠାପୂର୍ବକ ନିଜ କାମ କରିଚାଲିଛି । ଦେଖ, ସେ ତା’ ପିଠିରେ କେତେବଡ଼ ଚିନି ଦାନା ବୋହି ନେଉଛି । ମୁଁ ତା’ ନିଷ୍ଠାକୁ ପ୍ରଣାମ କଲି ।” ଏହା ଶୁଣି ଗଧକୁ ଭଲ ଲାଗିଲାନାହିଁ । ସେ ଅଭିଯୋଗଭରା କଣ୍ଠରେ ମହର୍ଷିଙ୍କୁ କହିଲା “ମହାତ୍ମା! ଏଇଟା ତ ଅନ୍ୟାୟ । ପିମ୍ପୁଡ଼ିଠାରୁ ତ ଢେର୍ଗୁଣା ଅଧିକ ବୋଝ ମୁଁ ଉଠାଉଛି । ସେ ଦୃଷ୍ଟିରୁ ମୋତେ ତ ବଡ଼ କର୍ମଯୋଗୀ କହିବା ଉଚିତ ।” ତା’ କଥାରେ ମହର୍ଷି ସ୍ମିତହସି କହିଲେ “ଏକଥା କହିବା ପୂର୍ବରୁ ପିମ୍ପୁଡ଼ି ଓ ନିଜର ଆକାର ମଧ୍ୟରେ ଅନ୍ତରକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ । ପିମ୍ପୁଡ଼ି ତୁମଠାରୁ କେତେ ଛୋଟ, ତଥାପି ନିଜ ଆକାର ସମାନ ଚିନି ଦାନା ସେ ପିଠିରେ ଲଦିଛି । ସେ ନିଜ କାମକୁ ଖୁବ୍ ଆନନ୍ଦରେ କରୁଛି । କିନ୍ତୁ କାମକୁ ବୋଝ ଭାବି ବାଧ୍ୟବାଧକତାରେ କରୁଥିବା ତୁମ ଚେହେରାରୁ ସ୍ପଷ୍ଟ ବାରିହେଉଛି । ତୁମେ ନିଜକୁ ଶ୍ରେଷ୍ଠ କର୍ମଯୋଗୀ ବୋଲି କିପରି କହୁଛ? କାମକୁ ବୋଝ ମନେକରୁଥିବା ବ୍ୟକ୍ତି କର୍ମଯୋଗୀ ହୋଇନଥାଏ, ପ୍ରତ୍ୟେକ କାମକୁ ନିଜ ଦାୟିତ୍ୱ ବୋଲି ମନେକରି ପ୍ରସନ୍ନତାପୂର୍ବକ ସମ୍ପାଦନ କରୁଥିବା ବ୍ୟକ୍ତି ହିଁ କର୍ମଯୋଗୀ ।” ମହର୍ଷିଙ୍କ କଥା ଶୁଣି ଗଧ କର୍ମଯୋଗର ମର୍ମ ବୁଝିପାରିଲା ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6