କଟକ: ପୁରୀ ଶ୍ରୀ ମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ୍‍ ବି.ପି ଦାସ କମିଶନଙ୍କ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏକ ଅନ୍ତରୀଣ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯାଇଛି । କମିଶନଙ୍କ ସଚିବ ବି.ପି ପରିଜା ୬୦ ପୃଷ୍ଠା ସମ୍ବଳିତ ଏହି ଅନ୍ତରୀଣ ରିପୋର୍ଟକୁ ଆଇନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ବିଶେଷକରି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ କମିଶନ ଉକ୍ତ ଅନ୍ତରୀଣ ରିପୋର୍ଟରେ ପ୍ରଶାସନିକ ସଂସ୍କାର ଓ ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ୱ ଦେଇଛନ୍ତି । ବିଶୃଙ୍ଖଳିତ ଆଚରଣକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ କମିଶନ ସ୍ପଷ୍ଟ ମତପୋଷଣ କରିଛନ୍ତି ।
କମିଶନଙ୍କ ରିପୋର୍ଟରେ ରଥଯାତ୍ରା ବେଳେ ଘଟୁଥିବା ବିଶୃଙ୍ଖଳାକୁ ପ୍ରତିହତ କରିବା ପାଇଁ ପରାମର୍ଶ ଦେବା ସହ ପ୍ରଶାସନିକ କାର୍ଯ୍ୟଦକ୍ଷତା ଯେପରି ବୃଦ୍ଧି ପାଇବ ଏବଂ ଶୃଙ୍ଖଳା ବଜାୟ ରଖାଯାଇପାରିବ ସେ ସମ୍ବନ୍ଧରେ ବିଭିନ୍ନ ସୁପାରିସ କରିଛନ୍ତି । ସେହିପରି ମନ୍ଦିରର ବିଭିନ୍ନ ପର୍ବପର୍ବାଣି ଯେଭଳି ଶୃଙ୍ଖଳିତ ଢ଼ଙ୍ଗରେ ପାଳନ କରାଯାଇପାରିବ, ଭକ୍ତମାନଙ୍କୁ ଯେପରି ଦୁର୍ବ୍ୟବହାର ନ କରାଯିବ, ମହିଳାଙ୍କ ସମ୍ମାନ ଯେଭଳି ଅକ୍ଷୁଣ୍ଣ ରହିବ ସେ ସମ୍ପର୍କରେ ରିପୋର୍ଟରେ ଆଲୋଚନା କରିଛନ୍ତି । ଏତଦ୍‍ ବ୍ୟତୀତ ସ୍ବାସ୍ଥ୍ୟ, ସଫେଇ, ମନ୍ଦିର ପରିସରର ପରିଚ୍ଛନ୍ନତା ଆଦି ବ୍ୟବସ୍ଥାରେ ଯେଭଳି ଉନ୍ନତି ଅଣାଯାଇ ପାରିବ ସେ ସମ୍ବନ୍ଧରେ କମିଶନ ଏକାଧିକ ପରାମର୍ଶ ଦେଇଛନ୍ତି । ଖାଦ୍ୟ ସାମଗ୍ରୀର ମାନ ରକ୍ଷା ପାଇଁ ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ କମିଶନ ସୁପାରିସ କରିଛନ୍ତି । ତା’ଛଡ଼ା ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ରାସ୍ତା ଚଉଡ଼ା କରିବା ଏବଂ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ସ୍ଥାପନ କରିବା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ଆମ୍ବୁଲାନ୍ସ ସେବା ଆଦି ବାଧ୍ୟତାମୂଳକ କରିବାକୁ ପ୍ରଦତ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପୁନଶ୍ଚ ସୁରକ୍ଷା ପ୍ରସଙ୍ଗରେ କମିଶନ ଶ୍ରୀମନ୍ଦିର ପାଇଁ ବିଭିନ୍ନ ସମୟରେ ସ୍ବତନ୍ତ୍ର ଫୋର୍ସ ମୁତୟନ ସକାଶେ ପରାମର୍ଶ ଦେଇଛନ୍ତି ।
ପ୍ରକାଶ ଯେ ଡିସେମ୍ବର ୨୦ ମଧ୍ୟରେ କମିଶନଙ୍କ ନିକଟରେ ୧୧ ହଜାର ୧୨୧ ସତ୍ୟପାଠ ପହଞ୍ଚିବା ସହିତ ୧୫୭୬ଟି ପରାମର୍ଶପତ୍ର ମଧ୍ୟ ପହଞ୍ଚିଛି । ଦେଶ ବିଦେଶରୁ ଇ-ମେଲ୍‍ ଜରିଆରେ ୧୨୬ଟି ପରାମର୍ଶ ଆସିଥିବା ବେଳେ ଏବେ ମଧ୍ୟ ପରାମର୍ଶପତ୍ର କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚୁଛି ବୋଲି ସଚିବ କହିଛନ୍ତି ।
୨୦୧୬ ଜୁଲାଇ ୧୭ରେ ନୀଳାଦ୍ରୀ ବିଜେ ସମୟରେ ଘଟିଥିବା ବିଶୃଙ୍ଖଳା, ଜିଲାପାଳ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେବାୟତଙ୍କ ଆକ୍ରମଣ ନେଇ ରାଜ୍ୟ ସରକାର ଜୁଲାଇ ୨୩ରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‍ ଦାସଙ୍କୁ ଜଣିକିଆ କମିଶନ ଭାବେ ନିଯୁକ୍ତି କରିଥିଲେ ଏବଂ ୬ ମାସ ମଧ୍ୟରେ ସଂସ୍କାର ସଂକ୍ରାନ୍ତରେ ପ୍ରସ୍ତାବ ଦେବା ପାଇଁ କୁହାଯାଇଥିଲା । କମିଶନଙ୍କ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଜଣେ ଆଇନଜ୍ଞ, ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ ଶ୍ରୀ ମନ୍ଦିର କାର୍ଯ୍ୟାଳୟର ଜଣେ ଅଭିଜ୍ଞ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ଜୁଲାଇ ୨୩ରେ କମିଶନ ନିଯୁକ୍ତି ହୋଇଥିଲେ ମଧ୍ୟ ସେପ୍ଟେମ୍ବର ୨୯ରେ ତାଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କମିଶନଙ୍କ କାର୍ଯ୍ୟକାଳ ଆହୁରି ୬ ମାସ ବୃଦ୍ଧି କରାଯାଇଛି ।

September 2017
Mo Tu We Th Fr Sa Su
28 29 30 31 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 1