ଜଗମୋହନ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଲେଖିଲେ ଚିଠି

ଭୁବନେଶ୍ୱର,(ଆମ ବିବେକ ବୁ୍ୟରୋ): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଜଗମୋହନ ସ୍ଥିତି ଏବେ ଅତି ଗମ୍ଭୀର ଅବସ୍ଥାରେ ରହିଛି । ଆଗକୁ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା, କାଳେ କିଛି ଅଘଟଣ ଘଟିବ ସେଥିନେଇ ରାଜ୍ୟ ସରକାର ଉଦ୍ବିଘ୍ନ ପ୍ରକାଶ କରିଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ ଆଇ) କର୍ତ୍ତୃପକ୍ଷ ଏଦିଗରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ତେଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରି ଏଏସ୍ଆଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଗତ ୧୩ତାରିଖ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ୯୦୦ ବର୍ଷ ତଳେ ଶ୍ରୀମନ୍ଦିର ତଥା ଜଗମୋହନ ନିର୍ମାଣ କରାଯାଇଥିଲା । ଏବେ ଏହାର ପାରିପାଶ୍ୱର୍ିକ ପରିସ୍ଥିତି ସଙ୍କଟମୟ ଅବସ୍ଥା ଦେଇ ଗତି କରୁଛି । ସ୍ଥାନେ ସ୍ଥାନେ ମନ୍ଦିରର ପ୍ରମୁଖ ପଥରଖଣ୍ଡ ଫାଟି ଆଁ କରିଥିବାବେଳେ କେତେକ ସମୟରେ ପଥର ଖଣ୍ଡ ଖସୁଛି । ଏହା ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍ଆଇ)ଙ୍କ ତତ୍ତ୍ୱାବଧାନରେ ରହିଛି । ଏହାକୁ ସୁରକ୍ଷା ଦେବାପାଇଁ ଭିତରେ ଲଗା ଯାଇଥିବା ଲୁହା ପାଇପ ମଧ୍ୟ ଜଗମୋହନ ଭାର ସମ୍ଭାଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ପ୍ରସଙ୍ଗକୁ ଏଏସ୍ଆଇ କର୍ତ୍ତୃପକ୍ଷ ଗୁରୁତର ଭାବେ ଗ୍ରହଣ କରୁ ନାହାନ୍ତି, ଯାହାଦ୍ୱାରା କି ପରିସ୍ଥିତି କେତେବେଳେ ଅଣାୟତ ହେବ କହିହେବ ନାହିଁ । ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ବିଳମ୍ବପୂର୍ଣ୍ଣ ପଦକ୍ଷେପ ଯୋଗୁଁ ସାଧାରଣ ଲୋକେ ଅସୁବିଧାରେ ପଡିବେ । ଏଥି ପୂର୍ବରୁ କୋଣାର୍କ ସୂର୍ଯ୍ୟମନ୍ଦିରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି । ହିନ୍ଦୁଧର୍ମର ପ୍ରମୁଖ ପୀଠସ୍ଥଳୀ ମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅନ୍ୟତମ । ଏହାର ବିଶ୍ୱାସରେ ବାନ୍ଧି ହୋଇ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଏଠାକୁ ଛୁଟି ଆସୁଛନ୍ତି । ତେଣୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କୋହଳ ମନୋଭାବ ପୋଷଣ ନକରି ତ୍ୱରିତ ଏଦିଗରେ ଦୃଢ଼ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର କାଳକ୍ଷେପଣ ନୀତି ବିରୋଧରେ ସେବାୟତଙ୍କ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଅବଗତ କରାଇବେ ।

September 2017
Mo Tu We Th Fr Sa Su
28 29 30 31 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 1