- Details
- Written by Swami Ananda Saraswati
- Category: Regional News
- Published: 06 April 2016
- Hits: 451

ମାଇପି ମେଳାରେ ୬୬ ଗୁହାରିଆ
ନିଆଳୀ, ୫ା୪ (ଆମ ବିବେକ ବୁ୍ୟରୋ) : କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସଙ୍ଗମସ୍ଥଳ ନରିଶୋ ମାହାଳୋଠାରେ ପ୍ରତିବର୍ଷ ଭଳି ଏବର୍ଷ ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ବାରୁଣୀ ସ୍ନାନରେ ଓଡ଼ିଶା ପ୍ରସିଦ୍ଧ ମାଇପି ମେଳା ଅନୁଷ୍ଠିତ ହୋଇଛି । ୬୬ ଜଣ ଶ୍ରଦ୍ଧାଳୁ ଗୁହାରିଆ ପଡ଼ିଥିବା ବେଳେ ୨୨୦୦ ଷ୍ଟଲ ଏହି ମେଳାରେ ପଡ଼ିଥିବା ଜଣାଯାଇଛି ।
କିମ୍ବଦନ୍ତୀ ଅନୁଯାୟୀ ଏଠାରେ ଏକ ବନବନକା କଣ୍ଟାଲତା ବୃକ୍ଷକୁ ଠାକୁର ମାନି ପୂଜା କରାଯିବା ସହିତ ଏହି ତିଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗଦେଇ ପତାକା, ଭୋଗ ଓ ଦୀପ ଦାନ କରି ପୂଜାର୍ଚ୍ଚନା କରନ୍ତି । ମାନସିକ ରଖି ଗୁହାରିଆ ପଡ଼ିଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଜନମାସରେ ପ୍ରଗାଢ଼ ବିଶ୍ୱାସ ରହିଛି । ଏହି ମେଳା ଏକ ଦଣ୍ଡାରେ ହେଉଥିବା ବେଳେ ପୂର୍ବେ ବାଟୋଇ, ବ୍ୟବସାୟୀ ଓ ଚାଷୀମାନେ ଏହି ବାଟ ଦେଇ ଯାତାୟତ କରିବା ସମୟରେ ଏହିଠାରେ ବିଶ୍ରାମ ନିଅନ୍ତି । ଯୁଗ ଯୁଗରୁ ଏଠାରେ ଥିବା ଏକ କଣ୍ଟାବୃକ୍ଷ ମୂଳେ ଠାକୁରଙ୍କ ସତ୍ତା ଅନୁଭବ କରିବା ସହିତ ଲୋକେ ପୂଜାର୍ଚ୍ଚନା ଓ ମାନସିକ କରି ଫଳ ପାଉଥିବାରୁ ସେବେଠାରୁ ଏ ସ୍ଥାନର ମହିମା ବଢ଼ି ବଢ଼ି ଆଜି ଏକ ପ୍ରସିଦ୍ଧ ମେଳାରେ ପରିଣତ ହୋଇଛି । ପୂର୍ବେ ଏହା ଦଣ୍ଡାମେଳା ନାମରେ ନାମିତ ଥିବା ବେଳେ ଏହି ମେଳାରେ ଅଧିକାଂଶ ମହିଳା ଯୋଗ ଦେଉଥିବାରୁ ସମୟକ୍ରମେ ଏହା ‘ମାଇପି ମେଳା’ ନାମରେ ନାମିତ ହୋଇଛି ।