ନୀଳଚକ୍ରରେ ଧ୍ୱଜା ବାନ୍ଧିବା କଟକଣା

ପୁରୀ - ଶ୍ରୀମନ୍ଦିର ନୀଳଚକ୍ରରେ ଧ୍ୱଜାବନ୍ଧା କାର୍ଯ୍ୟ ଶୃଙ୍ଖଳିତ କରିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି । ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ସେଥିରେ ଅଧ୍ୟକ୍ଷତା କରିଥିବା ବେଳେ ଚୂନରା ନିଯୋଗ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଗୃହୀତ ନିଷ୍ପତ୍ତି ଅନୁଯାୟୀ ସେପ୍ଟେମ୍ବରରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଅପରାହ୍ଣ ୪ଘଟିକା ଏବଂ ମାର୍ଚ୍ଚରୁ ଅଗଷ୍ଟମାସ ପର୍ଯ୍ୟନ୍ତ ଅପରାହ୍ଣ ୫ଟା ସୁଦ୍ଧା ଦୈନିକ ଧ୍ୱଜା ବନ୍ଧାକାର୍ଯ୍ୟ ଶେଷ ହେବ । ଏଥିପାଇଁ ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରସିଦ୍ କଟାଯିବ । ଧ୍ୱଜାଗୁଡିକ ରସିଦ୍ କଟାଯିବାର ୧୫ମିନିଟ ମଧ୍ୟରେ ଲେଙ୍କା ସେବକ ଚୂନରା ସେବକଙ୍କୁ ହସ୍ତାନ୍ତର କରିବେ । ସେଗୁଡିକ ଶ୍ରୀମନ୍ଦିର ଚୂଡାରେ ବନ୍ଧାଯିବ । ଦେଉଳକରଣ ଓ ତଢଉକରଣ ଏହି ବ୍ୟବସ୍ଥା ତଦାରଖ କରିବେ । ଲେଙ୍କା ସେବକ ଚୂନରାଙ୍କଠାରୁ ଉଲାଗିଧ୍ୱଜା ନେଇ ପ୍ରଶାସନ ନିକଟରେ ଦାଖଲ କରିବେ । କୌଣସି ଚୂନରା ସେବକ ସିଧାସଳଖ ଧ୍ୱଜା ଗ୍ରହଣ କରିବେ ନାହିଁ । ନୀଳଚକ୍ର ଶୀର୍ଷରେ ପ୍ରତ୍ୟେହ ଗୋଟିଏ ୧୪ହାତ ଲମ୍ବ ବିଶିଷ୍ଟ ଧ୍ୱଜା ବନ୍ଧାଯିବ । ଅଧିକ ଧ୍ୱଜା ମିଳିଲେ ଲଟେରୀ ମାଧ୍ୟମରେ ତାହାକୁ ଚୟନ କରାଯିବ । ଏଥିପାଇଁ ୫ଶହ ଟଙ୍କା ଧ୍ୱଜା ଫିସ୍ ଆଦାୟ କରାଯିବ । ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ଅପରାହ୍ଣ ୫ଟାରୁ ୬ଟା ମଧ୍ୟରେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ ଧ୍ୱଜା ଜମାକରି ରସିଦ୍ ପ୍ରାପ୍ତ ହେବେ । କିନ୍ତୁ ସେସବୁ ଧ୍ୱଜାଗୁଡିକ ପରଦିନ ଶ୍ରୀମନ୍ଦିର ଚୂଡାରେ ବନ୍ଧାଯିବ । ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ସୁବିଧାପାଇଁ ଧ୍ୱଜା ବିକ୍ରୟ କେନ୍ଦ୍ର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି । ନୂତନ ଧ୍ୱଜାବନ୍ଧା ବ୍ୟବସ୍ଥାବଳୀ ଚଳିତମାସ ୨୦ତାରିଖଠାରୁ କଡାକଡି ଭାବରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6