ସାଧୁସନ୍ଥଙ୍କ ହିନ୍ଦୁ ସ୍ୱାଭିମାନ ସୁରକ୍ଷା ଦାବିରେ ମହାସମାବେଶ


ଭୁବନେଶ୍ୱର - ସରକାରଙ୍କ ନିର୍ଦେଶନାମା ମାଧ୍ୟମରେକିଛି ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତିମାନଙ୍କୁ ନିୟନ୍ତ୍ରଣ କରିବାପାଇଁ ଯେଉଁ ପ୍ରୟାସ ଚାଲିଛିି ଏହାକୁ ବିରୋଧ କରି ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ସାଧୁସନ୍ଥଙ୍କ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଗାନ୍ଧିମାର୍ଗରେ ଅନୁଷ୍ଠିତ ଏହି ମହାସମାବେଶରେ ସରକାରଙ୍କ ପକ୍ଷରୁ ସାଧୁସନ୍ଥଙ୍କ ଉପରେ ହେଉଥିବା ଜୁଲମ ଓ ଆକ୍ରମଣକୁ ନିନ୍ଦା କରାଯାଇଥିଲା । ପ୍ରାରମ୍ଭରେ ରାଷ୍ଟ୍ରଭାଷା ପ୍ରଚାର ସମିତିଠାରୁ ଏକ ବିରାଟ ଶୋଭାଯାତ୍ରାରେ ସାଧୁ ସନ୍ନ୍ୟାସୀମାନେ ଗାନ୍ଧିମାର୍ଗ ଦେଇ ସମାବେଶ ସ୍ଥଳରେ ପହଞ୍ଚିଥିଲେ । ଆୟୋଜିତ ସଭାରେ ନିଗମ କଳ୍ପତରୁ ଆଶ୍ରମର ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଅଧ୍ୟକ୍ଷତା କରିଥିଲେ । ସରକାର ସବୁଧର୍ମର ଧାର୍ମିକ ସଂସ୍ଥା, ବ୍ୟକ୍ତିତ୍ୱ, ପରିଚାଳନା ଓ ବ୍ୟବହାର ଏବଂ ସମ୍ପତ୍ତି ଆଦି ବିଷୟରେ ସଂପୂର୍ଣ୍ଣ ଅନୁଧ୍ୟାନ କରି ଏକ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା । ମଠ ମନ୍ଦିର, ସାଧୁସନ୍ଥ ଓ ବାବାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ଯେଉଁବ୍ୟକ୍ତିମାନେ ହିଂସା ଆଚରଣ ମାଧ୍ୟମରେ ବିଭିନ୍ନ ଅନୁଷ୍ଠାନ ଓ ସଂସା୍ଥମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ମଞ୍ଚ ଦାବି କରିଛି । ଇତିମଧ୍ୟରେ ରାଜ୍ୟ ସରକାର ଏକ ନିର୍ଦେଶନାମା ଜାରି କରିଛନ୍ତି । ସେତିରେ ହିନ୍ଦୁଧର୍ମର ଯେତେଗୁଡିଏ ମଠମନ୍ଦିର ରହିଛି ସେଗୁଡିକର ଜମିଜମାର ତର୍ଜମା କରିଯିବା ଏବଂ ଯଦି ସରକାରୀ ସ୍ଥାନ ଉପରେ ଥାଏ; ତା’ହେଲେ ସେଠାରୁ ଖାଲି କରିବାକୁ ଜିଲାପାଳମାନଙ୍କୁ କୁହାଯାଇଛି । ଏହା ନ୍ୟାୟସଙ୍ଗତ ନୁହେଁ ବୋଲି ମଞ୍ଚ ଅଭିଯୋଗ କରିଛି । ଏହି ନିର୍ଦେଶନାମା ଏକତରଫା ଭାବେ କେବଳ ହିନ୍ଦୁମାନଙ୍କ ପାଇଁ ଲାଗୁ କରାଯାଇଥିବାବେଳେ ଅନ୍ୟାନ୍ୟ ଧର୍ମର ଧାର୍ମିକ ଅନୁଷ୍ଠାନଗୁଡିକ ପ୍ରତି କୋହଳ ମନୋଭାବ ପୋଷଣ କରାଯାଇଛି । ଯେଉଁ ଧର୍ମପୀଠଗୁଡିକ ବହୁ ବର୍ଷରୁ ପ୍ରତିଷ୍ଠିତ ହୋଇଛି ଓ ଜନସେବାରେ ବ୍ରତୀ ଅଛନ୍ତି ସେମାନଙ୍କ ଜମିଜମାକୁ ନିୟମିତ କରିବାପାଇଁ ମଞ୍ଚ ଦାବି କରିଛି । ଏହି ସମାବେଶରେ ଅରୁଣ କୁମାର ପଣ୍ଡା, ଜୀବନ ମୁକ୍ତାନନ୍ଦ, ଚିନ୍ତାମଣି ପର୍ବତ, ସତ୍ୟାନନ୍ଦ ଦାସ, ସ୍ମୃତି ସାଗର, ମାଧବାନନ୍ଦ ଗିରି, ସଚ୍ଚିଦାନନ୍ଦ ମହାରାଜ, ନଟବର ଦାସ, ଅବିନାଶ ଦାସ, ସନ୍ତୋଷ ଚୈତନ୍ୟ, ଗୌରଶ୍ୟାମ ଦାସ, ଗୀତା, ଭାସ୍କର ତୀର୍ଥ, ଡ. ପ୍ରଫୁଲ୍ଲ ରଥ, ଡ. ବଦ୍ରିପ୍ରସାଦ ପଟ୍ଟନାୟକ, ପ୍ରତାପ ଷଡ଼ଙ୍ଗୀ, ମାତୃପ୍ରସାଦ ମିଶ୍ର ଗୋଲଖ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ହିନ୍ଦୁଧର୍ମକୁ ବଜାୟ ରଖିବାପାଇଁ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6