ଜ୍ଞାନ ଓ ଅନୁଭୂତି

ଜୀବନକୁ ଅନେକ ସମୟରେ ଆମେ ଅନୁଭୂତି ସର୍ବସ୍ୱ କରିଦେଇଥାଉ । ଯଦି ଆମେ ଏକ ନିର୍ଦ୍ଦିଷ୍ଟ ବସ୍ତୁ, ବ୍ୟକ୍ତି ବା ପରିବେଷ ଆଦି ଉପରେ ଅନୁଭୂତି ଅର୍ଜନ କରିନପାରୁ ତେବେ ତା’ର ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଠି କରିବା ପାଇଁ ପଛଘୁଞ୍ଚା ଦେଇନଥାଉ । କେବଳ ସେତିକି ନୁହେଁ, ଯଦି ଆମର ସନେ୍ଦହରୂପୀ ପ୍ରଶ୍ନବାଚୀ ଦୃଢ ହୋଇଗଲା ତେବେ ସେଇ ବସ୍ତୁ, ବ୍ୟକ୍ତି ବା ପରିବେଷର ସତ୍ତା ଆମ ମାନସପଟରୁ ଦୂର ହୋଇଯାଇଥାଏ । ଏ ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି ସେହି ବସ୍ତୁ, ବ୍ୟକ୍ତି ବା ପରିବେଷ ଉପରେ କିଛି କୁହନ୍ତି, ଆମେ ଆମ ଅନୁଭୂତିକୁ ନେଇ ତାହା ଉପରେ ଟୀକ୍କା, ଟିପ୍ପଣୀ ଦେବାପାଇଁ ପଛଘୁଞ୍ଚା ଦେଇନଥାଉ । କେବଳ ସେତିକି ନୁହେଁ, ସୁଯୋଗ ପାଇଲେ ଆମେ ଆମ ଅନୁଭୂତିକୁ ଅନ୍ୟମାନଙ୍କ ଉପରେ ଲଦିଦେବା ଦେବା ପାଇଁ ପଛଘୁଞ୍ଚା ଦେଇନଥାଉ ।... ଏ ହେଉଛି ଜଣେ ସାଧାରଣ ଲୋକର ଜୀବନ ।
ଜଣେ ସାଧାରଣ ଲୋକ ଜୀବନକୁ ଅନୁଭୂତି ସର୍ବସ୍ୱ କରିଥିବା ବେଳେ ଦୈନନ୍ଦିନ ଜୀବନରେ ନୂଆ ନୂଆ ଅନୁଭୂତି ଅର୍ଜନ କରିବା ପାଇଁ ସବୁବେଳେ ଇଚ୍ଛା ପ୍ରକାଶ କରିଥାଏ । କିନ୍ତୁ ସେ ଭୁଲି ଯାଇଥାଏ ଯେ ପ୍ରତ୍ୟେକ ଅନୁଭୂତି ପଛରେ ଜ୍ଞାନ ରହିଥାଏ । ଜ୍ଞାନାନୁସାରେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଭିନ୍ନ ଭିନ୍ନ ପ୍ରକାର ଅନୁଭୂତି ମଧ୍ୟ ଜଣେ ଅର୍ଜନ କରିପାରେ । ତେଣୁ ଜୀବନକୁ ଅନୁଭୂତି ସର୍ବସ୍ୱ ନକରି ଜ୍ଞାନ ସର୍ବସ୍ୱ କରିପାରିଲେ ଜୀବନ ସୁଖ, ଶାନ୍ତିରେ କଟିଥାଏ ।
ଏପରିପ୍ରେକ୍ଷୀରେ ମନେପଡେ ଘଟଣାଟିଏ ।
ଗୋଟିଏ ଆଶ୍ରମରେ ଜଣେ ଅନୁଭୂତି ସର୍ବସ୍ୱ ଶିଷ୍ୟ ସଦାବେଳେ ସନ୍ଦିଆନ୍ ହୋଇ ଅନ୍ୟ ସହପାଠୀମାନଙ୍କ ସହିତ ବିଭିନ୍ନ ବିଷୟକୁ ନେଇ ଯୁକ୍ତି କରେ ଏବଂ ଯୁକ୍ତିରେ ହାରିଲେ ବି ସେ କେବେ ହାର ମାନେ ନାହିଁ । ଥରେ ସେ ଈଶ୍ୱରଙ୍କ ସତ୍ତାକୁ ନେଇ ନିଜର ଅନୁଭୂତିକୁ ଉପସ୍ଥାପନା କରିବାକୁ ଯାଇ କହିଲା - ଇଶ୍ୱର ନାହାନ୍ତି, ଯଦି ଅଛନ୍ତି ମୋତେ ପ୍ରମାଣ ଦିଅ ।
କଥା ଯାଇ ଗୁରୁଙ୍କ ପାଖରେ ପହଞ୍ଚôଲା । ପିଲାଟି ଗୁରୁଙ୍କୁ ବି ସେଇ କଥା କହିଲା - ମୁଁ ଈଶ୍ୱରଙ୍କୁ ମାନିବି କାହିଁକି? ମୋତେ ପ୍ରମାଣ ଦିଅନ୍ତୁ ଯେ ଈଶ୍ୱର ଅଛନ୍ତି ।
ଏହା ଶୁଣି ଗୁରୁ ତାଙ୍କର ଆଉ ଜଣେ ଶିଷ୍ୟକୁ କହିଲେ - ଏ ପିଲାର ବୁଢା ଆଙ୍ଗୁଠିକୁ ପାପୁଲି ସହିତ ମିଶାଇ ଜୋରରେ ବାନ୍ଧି ଦିଅ । ଆଦେଶ ପାଇ ଶିଷ୍ୟଟି ସେୟା କଲା । ବର୍ତ୍ତମାନ ଗୁରୁ ଅନୁଭୂତି ସର୍ବସ୍ୱ ଶିଷ୍ୟଟିକୁ କହିଲେ - ବାବୁରେ ମୋ ପାଇଁ ପାଣି ଢାଳଟିଏ ଆଣିଲୁ ଦେଖିବା ।
ପିଲାଟି ପାଣିଢାଳ ଆଣିବାକୁ ଗଲା । କିନ୍ତୁ ବୁଢା ଆଙ୍ଗୁଠିଟି ବନ୍ଧା ହୋଇଥିବାରୁ ସେ ବାକି ଚାରିଟି ଆଙ୍ଗୁଠିରେ ପାଣିଢାଳ ଉଠାଇ ପାରିଲା ନାହିଁ ।
ଗୁରୁ ପଚାରିଲେ - କିରେ କ’ଣ ହେଲା! ପାଣିଢାଳ କାହିଁ?
ପିଲାଟି କହିଲା - ଆଜ୍ଞା, ଆପଣ ମୋତେ ନେଇ କି ପରୀକ୍ଷା କରିବାକୁ ଚାହୁଁଛନ୍ତି ମୁଁ ବୁଝି ପାରୁନି । ଆପଣ କୁହନ୍ତୁ, ମୋ ବୁଢା ଆଙ୍ଗୁଠିକୁ ବାନ୍ଧି ଦେଲେ ମୁଁ କେମିତି ପାଣିଢାଳ ଆଣିପାରିବି?
ଗୁରୁ କହିଲେ, ବାବୁ ସତ କହ, ତୋ ହେତୁ ପାଇବା ଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୮ବର୍ଷ ବିତି ଯିବଣି । ତୁ କେବେ ହେଲେ କ୍ଷଣଟିଏ ବି ଚିନ୍ତା କରିଛୁ ଯେ ତୋର ହାତରେ ବୁଢା ଆଙ୍ଗୁଠିଟିଏ ଅଛି ଆଉ ତା ବିନା କିଛି କରିବା ଅସମ୍ଭବ?
ଶିଷ୍ୟଟି କ’ଣ ଟିକିଏ ଭାବିଲା ଓ କହିଲା - ଆପଣ ଠିକ୍ କହୁଛନ୍ତି । ଦିନେ ହେଲେ ବି ମୋ ବୁଢା ଆଙ୍ଗୁଠି ମୋତେ କେତେ ସାହାଯ୍ୟ କରୁଛି ସେ କଥା ଭାବି ନାହିଁ ।
ଗୁରୁ କହିଲେ, କେବଳ ତୁ ନୁହେଁ । ସାଧାରଣ ଭାବରେ ପୃଥିବୀର ଅନେସୋତ ପ୍ରତିଶତ ଲୋକ ବୁଢା ଆଙ୍ଗୁଠି କ’ଣ କରେ ତା’ ଭାବନ୍ତି ନାହିଁ ଓ ତା’କୁ କେବେ ଧନ୍ୟବାଦ ଦିଅନ୍ତି ନାହିଁ । ଦୁର୍ଭାଗ୍ୟବଶତଃ ଯଦି କାହାର ବୁଢା ଆଙ୍ଗୁଠିଟି ଅଚଳ ହୋଇଯାଏ, ତେବେ ସେ ତା’କୁ ଜୀବନ ସାରା ଝୁରି ହୁଏ ।
ଈଶ୍ୱର ବୁଢା ଆଙ୍ଗୁଠି ଭଳି । ସେ ଆମ ଭିତରେ ରହି ସବୁ କିଛି କରି ଚାଲିଛନ୍ତି । ସେଇଥିପାଇଁ ଜୀବନ ସହଜ ଓ ସୁନ୍ଦର ହୋଇଛି । ଅନୁଭୂତିକୁ ଆଧାର କରି ଜୀବନକୁ ବିତାଉ ଥିବାରୁ ତୁମ ନଜର ଈଶ୍ୱରଙ୍କ କରୁଣା ପ୍ରତି ନାହିଁ । ତେଣୁ ତୁମେ ଜୀବନରେ ଦୁଃଖ କଷ୍ଟ ପାଉଛ । ଯେଉଁ ଦିନ ଜ୍ଞାନକୁ ଗୁରୁତ୍ୱ ଦେଇ ଜୀବନକୁ ନିର୍ବାହ କରି ଶିଖିବ ଦେଖିବ, ଈଶ୍ୱରଙ୍କ କରୁଣା ତୁମ ଉପରେ ସର୍ବଦା ଝରିପଡିବ ।

November 2017
Mo Tu We Th Fr Sa Su
30 31 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 1 2 3