ସାଂସାରିକ ଓ ଭଗବତ୍ ପ୍ରାପ୍ତି

ଅନେକ ସମୟରେ ଆମ ମନକୁ ପ୍ରଶ୍ନ ଆସିଥାଏ, ‘ସତରେ କ’ଣ ଭଗବାନଙ୍କୁ ପାଇବାକୁ ହେଲେ ଘରଦ୍ୱାର, ପିଲାଛୁଆ, ବନ୍ଧୁବାନ୍ଧବ, ପରିବାର, ପଦପଦବୀ, ମାନମର୍ଯ୍ୟାଦା ଆଦି ସକଳ ବନ୍ଧନକୁ ଦୂରେଇ ଦେବାକୁ ହେବ ନା ଏହି ସଂସାରରେ ରହି ନିଜର କର୍ତ୍ତବ୍ୟକୁ ସମ୍ପାଦନ କରିବା ଭିତରେ ମଧ୍ୟ ଭଗବାନଙ୍କ ସହ ସାକ୍ଷାତ୍କାର ହୋଇପାରିବ!’
ଏହିଭଳି ପ୍ରଶ୍ନ ବା ଶଙ୍କା ଜଣେ ରାଜାଙ୍କ ମନରେ ଉଙ୍କିମାରିଥିଲା । ସେ ନିଜର ଶଙ୍କାକୁ ଦୂର କରିବାକୁ ଯାଇ ନିଜର ଜ୍ଞାନବୃଦ୍ଧ ମନ୍ତ୍ରୀଙ୍କୁ ପଚାରିଲେ, ‘ଜଣେ ସାଂସାରିକ ହେଲେ ମଧ୍ୟ କ’ଣ ଭଗବାନଙ୍କ ଆଶୀର୍ବାଦ ପାଇପାରିବ?’
ମନ୍ତ୍ରୀ ଉତ୍ତର ଦେଲେ, ‘ହଁ ଆଜ୍ଞା! ଏହା ହୋଇପାରିବ ।’
ରାଜା ପଚାରିଲେ ‘ଏହା କିପରି ସମ୍ଭବ?’
ମନ୍ତ୍ରୀ ଉତ୍ତର ଦେଲେ, ‘ଏହାର ସଠିକ ଉତ୍ତର କେବଳ ଜଣେ ମହାତ୍ମା ହିଁ ଦେଇପାରିବେ । ସିଏ ମହାନଦୀ କୂଳରେ ଏକ ଘଞ୍ଚ ଜଙ୍ଗଲରେ ରହୁଛନ୍ତି ।’
ରାଜା ନିଜ ପ୍ରଶ୍ନର ଉତ୍ତର ପାଇବା ପାଇଁ ତା’ ପରଦିନ ମନ୍ତ୍ରୀଙ୍କ ସହ ମହାତ୍ମାଙ୍କୁ ଦେଖା କରିବାକୁ ବାହାରିଲେ । କିଛି ବାଟ ଯିବା ପରେ ମନ୍ତ୍ରୀ କହିଲେ, ‘ମହାରାଜା! ମହାତ୍ମାଙ୍କର ଏକ ନିୟମ ଅଛି ଯେ କେହି ବି ତାଙ୍କୁ ଦେଖା କରିବାକୁ ଆସିଲେ, ରାସ୍ତାରେ ଥିବା ପୋକ କିମ୍ବା ଜନ୍ଦା, ପିମ୍ପୁଡ଼ିଙ୍କୁ ଯେମିତି ନ ମାରିଦିଏ । ଯଦି ତା ପାଦ ପଡି କେହି ପୋକ ମରିଯାନ୍ତି, ତେବେ ମହାତ୍ମା ତାଙ୍କୁ ଅଭିଶାପ ଦିଅନ୍ତି ।’ ରାଜା ମନ୍ତ୍ରୀଙ୍କର କଥାକୁ ଗ୍ରହଣ କଲେ ଓ ଧ୍ୟାନର ସହ ରାସ୍ତା ଆଡକୁ ଦେଖିକରି ଚାଲିଲେ ।
ଏମିତି ଚାଲୁଚାଲୁ ସେମାନେ ମହାତ୍ମାଙ୍କ ପାଖରେ ପହଞ୍ଚଗଲେ ।
ମହାତ୍ମା ତାଙ୍କୁ ବେଶ୍ ଆଦର-ସକ୍ରାରର ସହ ବସାଇଲେ ଓ ରାଜାଙ୍କୁ ଆସିବାର ଉଦେ୍ଧଶ୍ୟ ବିଷୟରେ ପଚାରିଲେ । ରାଜାଙ୍କ ଶଙ୍କା ବିଷୟରେ ଜାଣି ମହାତ୍ମା ସ୍ମିତହାସ୍ୟ ଦେଇ ରାଜାଙ୍କୁ ପଚାରିଲେ, ‘ଆପଣ ରାସ୍ତାରେ କ’ଣ କ’ଣ ଦେଖିଲେ ମୋତେ କହନ୍ତୁ? ରାଜା କହିଲେ, ହେ ମହାତ୍ମା! ମୁଁ ଆପଣଙ୍କ ଅଭିଶାପକୁ ଡରିଡରି ବାଟରେ ଆସିଲି । ସେଇଥିପାଇଁ ରାସ୍ତାରେ ପୋକଙ୍କୁ ଦେଖୁଦେଖୁ ମୋର ଧ୍ୟାନ ଅନ୍ୟ କେଉଁଠିକୁ ଯାଇନାହିଁ । ଏମିତିକି ରାସ୍ତାର ଦୃଶ୍ୟ ବିଷୟରେ ମୋର କୌଣସି ଧାରଣା ନାହିଁ ।’
ମହାତ୍ମା ଏହି ଉତ୍ତରରେ ହସି କହିଲେ, ‘ରାଜା! ଏହା ହିଁ ତୁମ ଶଙ୍କାର ସମାଧାନ ଅଟେ । ମୋ ଅଭିଶାପକୁ ଡରି ତୁମେ ଯେପରି ଆସିଲ, ସେହିପରି ଈଶ୍ୱରଙ୍କ ଦଣ୍ଡକୁ ମଧ୍ୟ ଡରିବା ଦରକାର । ପୋକମାନଙ୍କୁ ବଞ୍ଚାଇ ଯେପରି ରାସ୍ତାରେ ଚାଲିଲ, ସେହିପରି ଭୁଲକାମରୁ ନିଜକୁ ବଞ୍ଚାଇ ଚାଲିବା ଉଚିତ । ରାସ୍ତାରେ ଅନେକ ଲୋଭନୀୟ, ମନମୁଗ୍ଧକର, ଦର୍ଶନୀୟ ଦୃଶ୍ୟ ଥିଲେ ବି ତୁମେ ତାହା ଦେଖିବାକୁ ଇଚ୍ଛା ପ୍ରକାଶ କରିନାହଁ । ଯେଉଁ ସାବଧାନତାର ସହ ତୁମେ ମୋ ପାଖକୁ ଆସିଲ, ସେହିପରି କର୍ତ୍ତବ୍ୟ-ଅକର୍ତ୍ତବ୍ୟରୂପୀ ଜୀବନ ରାସ୍ତାରେ ଚାଲ । ଦେଖିବ ତୁମେ ଜଣେ ରାଜା ବା ସାଂସାରିକ ହୋଇ ମଧ୍ୟ ଭଗବନାଙ୍କୁ ପାଇପାରିବ ।’

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6