ଗୁରୁ କାହିଁକି ଦରକାର

ଅନେକ ସମୟରେ ମନରେ ପ୍ରଶ୍ନ ଆସିଥାଏ, ସତରେ କ’ଣ ଜୀବନରେ ଜଣଙ୍କୁ ଗୁରୁ କରିବା ନିତାନ୍ତ ଆବଶ୍ୟକ? ଆଜିକାଲିର ଦୁନିଆରେ ସବୁକିଛି ସହଜରେ ଉପଲବ୍ଧ ହେଉଥିବା ବେଳେ ଜଣଙ୍କୁ ଗୁରୁ କରିବା କ’ଣ ବୋକାମିର ପରିଚୟ ନୁହେଁ କି? ବିଶେଷକରି ଆଜିକାଲିର ଗୁରୁ ଯେପରି ଶିଷ୍ୟମାନଙ୍କୁ ଶୋଷିବାରେ ବ୍ୟସ୍ତ, ଏପରି ସ୍ଥଳେ ଅନେକ ସମୟରେ ମନେହୁଏ, ଜଣେ ବ୍ୟକ୍ତି ବିଶେଷଙ୍କୁ ଗୁରୁ କରିବାର ଆବଶ୍ୟକତା ନାହିଁ । ଏହି ଚିନ୍ତାଧାରାକୁ ପୁଣି ବଳବତ୍ତର କରିଥାଏ ଶାସ୍ତ୍ରର ଅପ୍ରାସଙ୍ଗିକ ବାକ୍ୟ । ଯଥା, “ମନ ତୋହର ନିଜ ଗୁରୁ । ଉଦ୍ଧବ କେତେ ତୁ ପଚାରୁ ।” ଇତ୍ୟାଦି ।
ଏହି ପରିପ୍ରେକ୍ଷୀରେ ମନେପଡେ ଘଟଣାଟିଏ ।
ଥରେ ଜଣେ ରାଜପୁତ୍ର ଗୁରୁଙ୍କ ଆଶ୍ରମକୁ ଶିକ୍ଷା ଗ୍ରହଣ କରିବା ନିମନ୍ତେ ଆସି ପହଞ୍ଚିଲା । ପହଞ୍ଚୁ ପହଞ୍ଚୁ ସେ ଗୁରୁଙ୍କୁ ପ୍ରଶ୍ନ କଲା - ଆଜ୍ଞା! ମୁଁ ଜଣେ ଗୁରୁଙ୍କୁ ଲୋଡିବି କାହିଁକି? ଅର୍ଥାତ୍, ଜୀବନରେ ଜଣେ ଗୁରୁଙ୍କର କି ଆବଶ୍ୟକତା ରହିଛି?
ଗୁରୁ ସ୍ମିତ ହାସ୍ୟ ଦେଇ କହିଲେ - ମୋ ଠାରୁ ଗପଟିଏ ଶୁଣ । ସେଥିରେ ତୁମ ପ୍ରଶ୍ନର ଉତ୍ତର ଅଛି ।
ଗୋଟିଏ ରାଜ୍ୟରେ ଯୁବକଟିଏ ଥିଲା । ଯୁଦ୍ଧ ବିଦ୍ୟା ଶିକ୍ଷା ଦେଲା ବେଳେ ତା’ର ଗୁରୁ ଦେଖିଲେ ଯେ ଯୁବକଟି ଅସମ୍ଭବ ଭାବେ ପ୍ରତିଭାବାନ । ସମର କଳା ଶିକ୍ଷା କରୁ କରୁ ଯୁବକଟି ଏମିତି କିଛି ବିଦ୍ୟା ବି ଆୟତ୍ତ କଲା ଯାହା ବାବଦରେ କେହି କେବେ ଶୁଣି ନଥିଲେ କି ଦେଖି ନଥିଲେ । ସେଥିରୁ ଗୋଟିଏ ଥିଲା ଏହିପରି ।
ଆଖିରେ କଳା ପଟି ବାନ୍ଧି ସେ ଶର ପ୍ରୟୋଗ କରୁଥିଲା ଏବଂ ସେଇ ଶରର ଆଘାତରେ ଆଖିକୁ ଦିଶୁ ନଥିବା ଭଳି ଏକ ଟାଣ ସୂତାର ଗଣ୍ଠି ଫିଟି ଯାଉଥିଲା । ତା’ର ପ୍ରତିଭା ଆଗରେ ସମସ୍ତେ ହାର ମାନୁଥିଲେ । ଏପରି କି ତା’ର ଗୁରୁ ମଧ୍ୟ ମୁକ୍ତ କଣ୍ଠରେ ସ୍ୱୀକାର କଲେ ଯେ ତା ଆଗରେ ସେ କିଛି ନୁହଁନ୍ତି । ବିଭିନ୍ନ ପ୍ରକାର ପ୍ରଶଂସା ତା ଉପରେ ଅଜାଡି ହୋଇ ପଡିବାରୁ ତା ମନରେ ଗର୍ବ ବସା ବାନ୍ଧିବାକୁ ଆରମ୍ଭ କଲା । ସେ ଉଦ୍ଧତ ହୋଇ ଉଠିଲା । ତା ମନରେ ବି ଦିନେ ଏଇ ପ୍ରଶ୍ନ ଉଠିଲା ଯେ ମୁଁ ଯେତେବେଳେ ଏ ରାଜ୍ୟରେ ଶ୍ରେଷ୍ଠତମ, ମୋର ପୁଣି ଗୁରୁର ଆବଶ୍ୟକତା କ’ଣ? ମୁଁ ତ ସବୁ କରୁଛି, ଦିନରାତି ଅଭ୍ୟାସ କରୁଛି, କିନ୍ତୁ ମୋତେ ଖୋଜା ପଡିଲେ ମୋ ସହିତ ଲୋଡା ପଡୁଛି ମୋ ଗୁରୁଙ୍କୁ । ଏହା ଚିନ୍ତା କରି ଦିନେ ସେ ଗୁରୁଙ୍କୁ ଅତି ବିନୟ ଭାବେ କହିଲା - ମହାତ୍ମା, ଆଉ ମୋ ସକାଶେ ଆପଣଙ୍କ ପ୍ରୟୋଜନ ନାହିଁ ।
ଦିନକର କଥା । ରାଜକୁମାରୀ ଯୁବକର ପ୍ରସିଦ୍ଧି ଶୁଣି ତା’ର ତୀର ଚାଳନାର ଚମକ୍ରାରିତା ଦେଖିବାକୁ ମନସ୍ଥ କଲେ । ରାଜକୁମାରୀଙ୍କ ଏ ପ୍ରକାର ଆଗ୍ରହ ଦେଖି ଯୁବକଟି ବିହ୍ୱଳ ହୋଇଗଲା । ନିର୍ଦ୍ଧିଷ୍ଟ ଦିନ ଧାର୍ଯ୍ୟ ହେଲା । ତା ପୂର୍ବରୁ ସେ ଅନେକ ଅଭ୍ୟାସ କଲା । ରାଜକୁମାରୀଙ୍କ ସମକ୍ଷରେ ଯେତେବେଳେ ସେ ଆଖିରେ କଳାପଟି ବାନ୍ଧିବାକୁ ଗଲା ସେତିକି ବେଳେ କ୍ଷଣିକ ସକାଶେ ରାଜକୁମାରୀଙ୍କ ଅପରୂପ ସୌନ୍ଦର୍ଯ୍ୟ ଉପରେ ତା ନଜର ପଡିଗଲା । ତା’ପରେ ତା’ର ଏକାଗ୍ରତା ରହିଲା ନାହିଁ । ସେ ଯେତେ ତୀର ମାରିଲା, ସବୁ ଲକ୍ଷ୍ୟଭ୍ରଷ୍ଟ ହେଲା । ବିଫଳ ଓ ହାସ୍ୟାସ୍ପଦ ହେବା ପରେ ସେ ଯେତେବେଳେ ବିଷାଦଗ୍ରସ୍ଥ ହୋଇ ଆତ୍ମହତ୍ୟା କରିବାକୁ ବାହାରିଲା, ଦେଖିଲା ଗୁରୁ ତା ଆଗରେ ଛିଡା ହୋଇ କହୁଛନ୍ତି ତୋ ତୀର କେମିତି ଲକ୍ଷ୍ୟ ଭେଦ କରିଥାଆନ୍ତା! ତୋ ଅହଂକାର ତ ତୋ ମନର ଆଖିରେ ବି ଅନ୍ଧପୁଟିଳି ବାନ୍ଧି ଦେଇଛି?
ଏହାଶୁଣିବା ପରେ ରାଜକୁମାର ଚମକିପଡି କହିଲା, ଓଃ! ଏବେ ବୁଝିଲି ଜୀବନରେ ଗୁରୁ ଲୋଡା କାହିଁକି?

February 2019
Mo Tu We Th Fr Sa Su
28 29 30 31 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 1 2 3