ବିବେକ ବାଣୀ
ବିଶ୍ୱାସେ ମିଳଇ ହରି
ଆଧ୍ୟାତ୍ମିକ ବିକାଶ ଲାଭ ନିମିତ୍ତ ସାଧନା କରଥିବା ସାଧକଙ୍କୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରିପାରିବା । କେତେକ ସାଧକ ନିଜ ଉପରେ ଅହେତୁକ ବିଶ୍ୱାସ କରିଥାନ୍ତି । ସମ୍ପତ୍ତି, ବାହୁବଳ, ଜନବଳ କିମ୍ବା ପଦପଦବୀର ବଡିମା ହେତୁ ସେମାନେ ‘ମୁଁ ସବୁକିଛି କରିପାରିବି’ ଏହିଭଳି ଦମ୍ଭୋକ୍ତି ଦେଖାଇଥାନ୍ତି । ସମୟେସମୟେ ଦୈବବଶତଃ ଅସାଧ୍ୟକୁ ସାଧ୍ୟ ମଧ୍ୟ କରିଥାନ୍ତି । ଏମାନେ ପୂର୍ଣ୍ଣଭାବରେ ସ୍ୱାବଲମ୍ବୀ ହୋଇଥାନ୍ତି । ପରମାତ୍ମାଙ୍କ କରୁଣା ଉପରେ ଭରସା ରଖିବାକୁ ସେମାନେ ଚାହିଁନଥାନ୍ତି । ତାଙ୍କର ସାଧନା, ସଂକଳ୍ପରେ ସିଦ୍ଧିପ୍ରାପ୍ତର ସାଧନା ଅଟେ, ସେମାନେ ତାଙ୍କର ଦୃଢ଼ ସଂକଳ୍ପ ଦ୍ୱାରା ଆଧ୍ୟାତ୍ମିକ ସିଦ୍ଧିପ୍ରାପ୍ତ କରିଥାନ୍ତି । ବୁଦ୍ଧ ଓ ମହାବୀର ଆଦି ମହାତ୍ମାମାନେ ଏହିପରି ଭାବରେ ସାଧନା କରିଥିଲେ । ଅପରପକ୍ଷରେ ଶ୍ରୀ ଚୈତନ୍ୟ, ସୁରଦାସ, ମୀରା, ପୁରନ୍ଦର ଦାସ, ଦାସିଆ ବାଉରୀ ଆଦି ସାଧକ ସମର୍ପଣ ମାର୍ଗରେ ସାଧନା କରିଥିଲେ । ସେମାନେ ନିଜକୁ ସମ୍ପୂର୍ଣ୍ଣ ଭାବରେ ପରମାତ୍ମାଙ୍କ ହାତରେ ଅର୍ପଣ କରିଦେଇଥିଲେ । ଫଳରେ ସେମାନେ ଏହି ଭବସାଗରରରୁ ତରିଯାଇଥିଲେ ମଧ୍ୟ । ଏହି ପ୍ରକାର ସାଧନା ପାଇଁ କେବଳ ଦୃଢ଼ ବିଶ୍ୱାସ ଓ ସମର୍ପଣ ଭାବ ଲୋଡ଼ା ।
ସଂକଳ୍ପର ସାଧନା ବହୁ କଷ୍ଟସାଧ୍ୟ । ଏହା ସମସ୍ତଙ୍କ ଦ୍ୱାରା ସମ୍ଭବପର ହୋଇନଥାଏ । କିନ୍ତୁ ସମର୍ପଣର ସାଧନା ବହୁତ ସହଜ ମନେ ହୋଇଥାଏ । ଏଥିରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ପରମାତ୍ମାଙ୍କ ନିକଟରେ ସମର୍ପଣ କରିଦେବାକୁ ହୋଇଥାଏ । ପରମାତ୍ମା ଆମର ପିତାମାତା, ସବୁକିଛି ଭାବି ସାଧକ ତାଙ୍କୁ କରୁଣାର ସାଗର, ପ୍ରେମର ସାଗର, ତଥା ଜ୍ଞାନର ସାଗର ଭାବରେ ଗ୍ରହଣ କରି ତାଙ୍କ ଉପରେ ବିଶ୍ୱାସ ରଖେ । ତାଙ୍କ ହାତରେ ନିଜର ଜୀବନରୂପୀ ନୌକାକୁ ଠିକଣା ମାର୍ଗରେ ନେବା ଦାୟିତ୍ୱ ଛାଡିଦେଇ ଜୀବନରେ ଆସ୍ୱସ୍ଥି ଲାଭ କରେ । ସେଇଥିପାଇଁ ଯଥାର୍ଥରେ କୁହାଯାଇଛି, ବିଶ୍ୱାସେ ମିଳଇ ହରି । ତର୍କେ ବହୁଦୂର ।
ଏ ସମ୍ପର୍କରେ ମୋର ମନେପଡେ ଗପଟିଏ - ଦୁଇଜଣ ଶିଷ୍ୟ ଗୁରୁକୁଳରେ ରହି ଗୁରୁଙ୍କ ନିକଟରୁ ବିଦ୍ୟାଶିକ୍ଷା କରୁଥିଲେ । ଗୁରୁ ସେମାନଙ୍କ ବିଶ୍ୱାସକୁ ପରିକ୍ଷା କରିବାକୁ ଯାଇ ଦିନେ ସେମାନଙ୍କୁ ଗୋଟିଏ ଲେଖାଏଁ ମଞ୍ଜି ଦେଇ କହିଲେ ଏହାକୁ ସାତଦିନ ମାଟିରେ ପୋତି ରଖିଲେ ତହିଁରୁ ଚେର ବାହାରି ଗଛ ହେବ । ଦୁହେଁ ମୋତେ ତାହା ଦେଖାଇବ । ପ୍ରଥମ ଶିଷ୍ୟଟିର ଦୃଢ଼ବିଶ୍ୱାସ ଥିବାରୁ ସେ ସାତଦିନ ପରେ ମାଟି ଖୋଳି ଦେଖିଲା ତହିଁରୁ ଗଛ ହୋଇଛି । ମାତ୍ର ଦ୍ୱିତୀୟ ଶିଷ୍ୟ ଗୁରୁଙ୍କ ବାକ୍ୟରେ ସନେ୍ଦହ କରି ପ୍ରତିଦିନ ମଞ୍ଜି ଗଜା ହୋଇଛି କି ନାହିଁ ଖୋଳି ଦେଖୁଥାନ୍ତି । ସାତଦିନ ପରେ ଗୁରୁଙ୍କୁ ମଞ୍ଜିଟି ଦେଖାଇ କହିଲେ ଗୁରୁଦେବ ! ମଞ୍ଜିରୁ ଗଛ ହେଲାନାହିଁ । ଗୁରୁଙ୍କ ବାକ୍ୟରେ ସଂଶୟହେତୁ ଯେ ଏଭଳି ହେଲା, ଏହା ଜାଣି ଗୁରୁଦେବ ସେହି ଶିଷ୍ୟର ଶିକ୍ଷା ସମ୍ପୂର୍ଣ୍ଣ ହୋଇନାହିଁ ବୋଲି କହିଥିଲେ ।

January 2019
Mo Tu We Th Fr Sa Su
31 1 2 3 4 5 6
7 8 9 10 11 12 13
14 15 16 17 18 19 20
21 22 23 24 25 26 27
28 29 30 31 1 2 3