ଅସହିଷ୍ଣୁ କିଏ?

 


ନିକଟରେ ଶେଷ ହୋଇଥିବା ବିହାର ରାଜ୍ୟ ବିଧାନସଭା ନିର୍ବାଚନର ଘୋଷଣା ହେବା ପୂର୍ବରୁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ବିରୋଧୀମାନେ ଏବଂ ସେମାନଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ ତଥା ସହଯୋଗ କରୁଥିବା ସମସ୍ତ ଭାରତୀୟତା ବା ହିନ୍ଦୁବିରୋଧୀ ଗୋଷ୍ଠୀ ସମୂହ, ଜାଣିଶୁଣି ଅତି ଚତୁରତାର ସହିତ ଏକପ୍ରକାର ପ୍ରମାଣିତ କରାଇଦେଇପାରିଲେ ଯେ ମୋଦି ସରକାର ତଥା କେନ୍ଦ୍ରରେ କ୍ଷମତାସୀନ ଭାଜପା ଦଳର ହିନ୍ଦୁତ୍ୱବାଦୀ (ସାଫ୍ରନାଇଜେସନ୍) ନୀତି, କଥା ଏବଂ କାର୍ଯ୍ୟକଳାପ ହେତୁ ସମଗ୍ର ଦେଶରେ ଏକ ଅସହିଷ୍ଣୁତାର ବାତାବରଣ ସୃଷ୍ଟିହୋଇଛି ଯାହାକି ଆମର ସମ୍ବିଧାନରେ ଅଙ୍ଗୀକୃତ ଧର୍ମନିରପେକ୍ଷବାଦର ଘୋର ବିରୁଦ୍ଧାଚରଣ କରୁଛି । ଏହାଦ୍ୱାରା ‘ସାମ୍ପ୍ରଦାୟିକ ତଥା ଉଗ୍ରବାଦୀ’ ହିନ୍ଦୁମାନେ ଅଧିକ ସକ୍ରିୟ ହୋଇପଡିଛନ୍ତି ଏବଂ ଫଳରେ, ଅଳ୍ପସଂକ୍ଷକମାନେ ଭୟଭୀତହୋଇ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି । ଜନସାଧାରଣଙ୍କୁଏଭଳି ଭାବରେ ବିଭ୍ରାନ୍ତକରିବାରେ ଆମର ପ୍ରମୁଖ ଗଣମାଧ୍ୟମସଂସ୍ଥାମାନେ ଖୁବ୍ ସକ୍ରିୟ ଥିଲେ କାରଣ, ସେଗୁଡିକ ପ୍ରାୟଶଃ ହିନ୍ଦୁବିଦ୍ୱେଷୀ ସଂଗଠନ ବା ଅନୁଷ୍ଠାନର ମାଲିକାନାରେ ରହିଛି । ଏଦିଗରେ ଆମର ସ୍ୱଧର୍ମବିଦ୍ୱେଷୀ ‘ଶିକ୍ଷିତ ହିନ୍ଦୁ’ ମାନଙ୍କର ଭୂମିକା ବିଷୟରେ ନକହିବା ଭଲ । ଦାଦ୍ରି ଘଟଣା ଇତ୍ୟାଦିକୁ ତିଳକୁତାଳକରି ବାରମ୍ବାର ପ୍ରଚାର କରିବା, କିଛି ସାହିତି୍ୟକ ଏବଂ ଚଳଚିତ୍ର ନିର୍ମାତାମାନଙ୍କର ‘ପୁରସ୍କାର ଫେରସ୍ତ’ର ନାଟକୀୟତା ଆଦି ଏହି ଚତୁର ବିଭ୍ରାନ୍ତିକରଣର ଅଂଶ ଥିଲା, ଯାହାକୁ ସାଧାରଣଭାବରେ ଆମ ଲୋକେ ବୁଝିବାରେ ଅସମର୍ଥ ଥିଲେ । ଏହାଯେ ବିହାର ନିର୍ବାଚନରେ ଭାଜପାର ବିଫଳତାର ମୂଳ କାରଣ ତା’ ନୁହେଁ । କିନ୍ତୁ ବିଫଳତା ପଛରେ ଥିବା ଅନ୍ୟାନ୍ୟ ବଡ କାରଣ ମଧ୍ୟରୁ ଏହା ଗୋଟିଏ ।
ତେବେ ଏଠାରେ ବିହାର ନିର୍ବାଚନ ମୂଳ ପ୍ରସଙ୍ଗ ନୁହେଁ । ଏଠାରେ ମୂଳ ପ୍ରସଙ୍ଗ ହେଉଛି ପ୍ରକୃତରେ ଅସହିଷ୍ଣୁ କିଏ?
ଇତିହାସର ଅରମ୍ଭରୁ ଭାରତୀୟ ହିନ୍ଦୁସମାଜ କେବେହେଲେ ଅସହିଷ୍ଣୁତାର କୌଣସି ଦୃଷ୍ଟାନ୍ତ ଦେଖାଇନାହିଁ । ହିନ୍ଦୁସମାଜ ସବୁବେଳେ ଶାନ୍ତିପ୍ରିୟ ତଥା ଉଦାରବାଦୀ ହୋଇ ରହିଆସିଛି ଏବଂ ଏହା ସମସ୍ତେ ସ୍ୱୀକାର କରିଛନ୍ତି ମଧ୍ୟ । ଶକ, ହୁନ, ତାତାର, କୁଶାଣ ଆଦି ବିଦେଶୀ ଗୋଷ୍ଠୀର ଲୋକେ ବହୁସଂଖ୍ୟାରେ ଆମଦେଶରେ ଆସି ବସବାସ କରିଥିଲେ ଏବଂ ସାମ୍ରାଜ୍ୟ ମଧ୍ୟ ସ୍ଥାପନ କରିଥିଲେ । ସେମାନେ କୌଣସି ବିଦ୍ୱେଷ ବା ଅସହିଷ୍ଣୁତାର ଶିକାର ହୋଇନଥିଲେ ଏବଂ ଅନାୟାସରେ ଭାରତୀୟ ହିନ୍ଦୁସମାଜରେ ମିଶିଯାଇଥିଲେ । ମୁସଲମାନ ଶାସକ ତଥା ଧର୍ମପ୍ରଚାରକମାନଙ୍କର ଅତ୍ୟାଚାରରେ ଅତିଷ୍ଟ ହୋଇ ପାରସ୍ୟ(ଆଧୁନିକ ଇରାନ୍)ର ଅଣମୁସଲମାନ ପାର୍ସୀ ଏବଂ ସିରିୟାର ଖ୍ରୀଷ୍ଟିୟାନମାନେ ଆମ ହିନ୍ଦୁ ଦେଶରେ ଆଶ୍ରୟ ନେଇଥିଲେ ଏବଂ କେବେହେଲେ ଅସହିଷ୍ଣୁତାର ଶିକାର ହୋଇନଥିଲେ । ୟୁରୋପୀୟ ଖ୍ରୀଷ୍ଟିୟାନମାନଙ୍କ ଆକ୍ରୋଶର ଶିକାର ହୋଇ ବହୁ ସଂଖ୍ୟକ ଈହୁଦି ଏଠାରେ ହିଁ ନିରାପଦ ଆଶ୍ରୟ ପାଇଥିଲେ । ଏହିପରି ଅନେକ ଉଦାହରଣ ।
କହିବାକୁ ଗଲେ ଆମ ଦେଶରେ ଅସହିଷ୍ଣୁତାର ବୀଜବପନ କରିଥିଲେ ମୁସଲମାନ ଆକ୍ରମଣକାରୀ ଏବଂ ଶାସକବର୍ଗ । ହିନ୍ଦୁ ଭାରତୀୟ (କାଫିର)ମାନଙ୍କପ୍ରତି ସେମାନଙ୍କ ଆକ୍ରୋଶର ପଟାନ୍ତର ନାହିଁ । ତାଙ୍କର ହତ୍ୟା, ଧର୍ଷଣ, ଲୁଣ୍ଠନ ଓ ବିଧ୍ୱଂସନର ଗାଥା ଇତିହାସରେ ଗୁନ୍ଥି ହୋଇରହିଛି । ଠିକ୍ ସେହିପରି ପର୍ତୁଗୀଜ୍ ଓ ଇଂରେଜ ଆଦି ୟୁରୋପୀୟ ଖ୍ରୀଷ୍ଟିୟାନ ବଣିକ ଗୋଷ୍ଠୀ ଧୀରେ ଧୀରେ ଯେତେବେଳେ ଏଠାରେ ଉପନିବେଶ ସ୍ଥାପନକରି ଶାସକବର୍ଗରେ ପରିଣତ ହେଲେ, ସେତେବେଳଠାରୁ ସେମାନଙ୍କ ପଥପ୍ରଦର୍ଶକ ଓ ସହାୟକ ଖ୍ରୀଷ୍ଟିୟାନ ଧର୍ମଯାଜକ ବା ମିଶନାରୀମାନଙ୍କ ପ୍ରରୋଚନାରେ ହିନ୍ଦୁସମାଜପ୍ରତି ଯେଉଁ ଅକଥନୀୟ ଅତ୍ୟାଚାର, ମିଥ୍ୟାଚାର ଓ ପ୍ରତାରଣାପୂର୍ଣ୍ଣ ଅଚରଣ ଦେଖାଯାଇଥିଲା, ତାହାର ଅନ୍ୟ କୌଣସି ଉଦାହରଣ ଇତିହାସରେ ବିରଳ । ଏ ଦିଗରେ ଗୋଆର ପର୍ତୁଗୀଜ୍ ଶାସକ ଏବଂ ତାଙ୍କର ଅକଥନୀୟ ଅତ୍ୟାଚାର(ଇନକ୍ୱିଜିସନ୍)ର ତୁଳନା ନାହିଁ । ଇଂରେଜ ଶାସନ ସମୟରେ ଏବଂ ସ୍ୱାଧୀନତା ପରେ ମଧ୍ୟ ଖ୍ରୀଷ୍ଟିୟାନ ମିଶନାରୀମାନଙ୍କର ପ୍ରତାରଣାପୂର୍ଣ୍ଣ ଆଚରଣର ନମୁନା ସର୍ବସମକ୍ଷରେ ।
ଏସବୁ କ’ଣ ସହିଷ୍ଣୁତା ବା ଉଦାରବାଦର ନମୁନା? ଇତିହାସରୁ କିଛି ଲିଭାଇଦେଲେ, କି ପୃଷ୍ଠା ଚିରି ଫିଙ୍ଗିଦେଲେ ସତ୍ୟ ବଦଳିଯିବକି? ମାକଲେଙ୍କ ଶିକ୍ଷାବ୍ୟବସ୍ଥାରେ ଶିକ୍ଷିତ ହୋଇ ଏବଂ ସେହି ଭାବଧାରାକୁ ସମ୍ପୂର୍ଣ୍ଣଭାବରେ ଆତ୍ମସ୍ଥକରି, ନେହେରୁଙ୍କ ଅନୁଗାମୀ ତଥାକଥିତ ବାମପନ୍ଥୀ-ଉଦାରବାଦୀ(ଲେଫ୍ଟ-ଲିବ୍) ବୁଦ୍ଧିଜୀବୀ ଗୋଷ୍ଠୀ ଆଜିପର୍ଯନ୍ତ ଯେଉଁପରି କଦର୍ଯ୍ୟ ବ୍ୟବହାର ସେମାନଙ୍କଠାରୁ ଭିନ୍ନ ବିଚାରଧାରାର ବୁଦ୍ଧିଜୀବୀଙ୍କପ୍ରତି କରିଆସିଛନ୍ତି, ତାହା କ’ଣ କେବେହେଲେ ସହିଷ୍ଣୁତା ବା ଉଦାରତାର ପଦବାଚ୍ୟ? ଏଇ ନିକଟରେ ବେଙ୍ଗାଲୁରୁରେ ଟିପୁ ସୁଲତାନ ଜୟନ୍ତୀ ନାମରେ ଯେଉଁ ସୁଆଙ୍ଗ ଚାଲିଛି ଓ ତାକୁ ବିରୋଧକରୁଥିବା ଲୋକେ ଯେଉଁଭଳି ଭାବରେ ହତାହତ ହେଲେ, ତାହା କେଉଁ ପ୍ରକାରର ସହିଷ୍ଣୁତା ବା ଉଦାରତାର ଉଦାହରଣ? ଜନସାଧାରଣ ବିଚାର କରନ୍ତୁ ।

September 2017
Mo Tu We Th Fr Sa Su
28 29 30 31 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 1