ସାଧୁ, ସାବଧାନ!

 


ଆମ ରାଜ୍ୟ ଓଡିଶାରେ ତଥାକଥିତ ‘ସାରଥି ବାବା’ଙ୍କ କାରନାମା ଗଣମାଧ୍ୟମରେ ବିଶେଷ ଭାବରେ ଚର୍ଚ୍ଚିତ ହେବା ଓ ଘଟଣାକ୍ରମେ ତାଙ୍କର ଗିରଫଦାରି ଇତ୍ୟାଦି ପରେ, ଏକପ୍ରକାର ‘ବାବା ମାରଣ ଅଭିଯାନ’ ଆରମ୍ଭ ହୋଇଗଲା । କିଛି ଟେଲିଭିଜନ୍ ଚାନେଲ ଏଥିରେ ପ୍ରମୁଖ ଭୂମିକା ନେଲେ । ତାଙ୍କ କ୍ୟାମେରାରେ ମୁହଁ ଦେଖାଇବାର ସୁଯୋଗକୁ ହାତଛଡା ନକରି ସ୍ଥାନୀୟ ଅଂଚଳର ବେଶ୍କିଛି ଅସାମାଜିକ ଲୋକ ଖୁବ୍ ଅଧିକ ଉତ୍ସାହରେ ସମ୍ପୃକ୍ତ ବାବା ଓ ତାଙ୍କ ଆଶ୍ରମ ଉପରେ ଦାଉ ସାଧିଲେ । ବାବା ଓ ଆଶ୍ରମ ଲୋକମାନଙ୍କୁ ମାରଧର କରାଗଲା । ଆଶ୍ରମକୁ ବିଭିନ୍ନ ଉପାୟରେ ଭଙ୍ଗାରୁଜା କରାଗଲା,ପୋଡାଜଳା କରାଗଲା । ପୁଲିସ୍ କେବଳ ନିରବଦ୍ରଷ୍ଟା ହେଲେ । ସାରଥି ଆଶ୍ରମ ଘଟଣାରେ ସ୍ଥାନୀୟ ପୁଲିସ୍ ଏବଂ ବିଶେଷକରି ସେଠାର ଏସ୍.ପି ମାତ୍ରାଧିକ ଦମନଲୀଳା ଓ ବଳ ପ୍ରୟୋଗ ହେତୁ ସାଧାରଣରେ ତଥା ଗଣମାଧ୍ୟମରେ ନିନ୍ଦିତ ହୋଇଥିବାରୁ ବୋଧହୁଏ ଅନ୍ୟ ସବୁ ଘଟଣାରେ ପୁଲିସ୍ ଚୁପ୍ ରହିବାକୁ ଉଚିତ ମଣିଲେ । ସରକାର ଓ ପ୍ରଶାସନ ମଧ୍ୟ ଏକପ୍ରକାର ହାତବାନ୍ଧି ବସିରହିଲେ । ବେଶ୍ କିଛିଦିନ ଏପ୍ରକାର ‘ଅଭିଯାନ’ ଚାଲିଲା । ଗଣମାଧ୍ୟମରେ ପ୍ରଚାରିତ ହେଲା । ଅସାମାଜିକ ଓ ଖଳପ୍ରକୃତିର ଲୋକମାନଙ୍କର ଏଭଳି ନିର୍ଲଜ୍ଜ ତାଣ୍ଡବଲୀଳାକୁ କେତେକସ୍ଥାନରେ ସ୍ଥାନୀୟ ଲୋକମାନଙ୍କ ବିରୋଧ ଏବଂ ଏସମ୍ପର୍କରେ କିଛି ଚିନ୍ତାଶୀଳ ବ୍ୟକ୍ତିବିଶେଷ ତଥା ସାଂସ୍କୃତିକ ସଙ୍ଗଠନମାନଙ୍କର ପ୍ରତିବାଦର ସ୍ୱର ଗଣମାଧ୍ୟମରେ ପ୍ରସାରିତ ହେବାଫଳରେ, ଧୀରେ ଧୀରେ ତହିଁରେ ଭଟ୍ଟା ପଡିଛି । ତେବେ, ସରକାର ଓ ପ୍ରଶାସନ ହଠାତ୍ ନିଦରୁ ଉଠି ସରକାରୀ ଜମିରେ ବେଆଇନ୍ଭାବରେ ଗଢିଉଠିଥିବା ଆଶ୍ରମଗୁଡିକୁ ଚିହ୍ନଟକରି ସେଗୁଡିକୁ ଭଙ୍ଗାରୁଜା କରିବା ଓ ସମ୍ପୃକ୍ତ ବାବା ମାନଙ୍କୁ ସେଠାରୁ ଉଚ୍ଛେଦକରିବା କାର୍ଯ୍ୟକ୍ରମ ଚାଲୁ କରିଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେତେବେଳେ କିଛି ଲୋକ ବା କିଛି ‘ବାବା’ ସରକାରୀ ଜମିକୁ ଅକ୍ତିଆର କରି ବେଆଇନ ଭାବରେ ଆଶ୍ରମ, ମଠ ବା ମନ୍ଦିର ଆଦି ନିର୍ମାଣ କରିପକାଇଲେ ଏବଂ ପୁଣି ବହୁବର୍ଷଧରି ସେଠାରେ ବସବାସ କଲେ, ସେତେବେଳେ ସରକାର ବା ପ୍ରଶାସନ କ’ଣ କରୁଥିଲେ? ଅନେକ ସ୍ଥାନରେ ଏହିଭଳି ଭାବରେ ଅନେକ ବସ୍ତି ଇତ୍ୟାଦି ଗଢି ଉଠିଛି ଏବଂ ସରକାର ଅନେକ କ୍ଷେତ୍ରରେ ସମ୍ପୃକ୍ତ ବାସିନ୍ଦାମାନଙ୍କୁ ଜମି ପଟ୍ଟା ଦେଇ ବା ସେମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ସୁଯୋଗମାନ ଯୋଗାଇଦେଇ, ପ୍ରତ୍ୟକ୍ଷ ବା ପରୋକ୍ଷଭାବରେ ସେମାନଙ୍କ ବସବାସକୁ ଆଇନଗତ ସ୍ୱୀକୃତି ଦେଇଛନ୍ତି । ଅନେକ କ୍ଷେତ୍ରରେ, ସରକାରୀ ଜମିରେ ଆଶ୍ରମ ଅଦି କରିଥିବା ବାବା ଜଣକ ଆଦୌ ଭଣ୍ଡ ବା ଶଠ ନୁହନ୍ତି । ସେ ଜଣେ ନିରୀହ ସାଧୁ ବା ସନ୍ନ୍ୟାସୀ । ସେ ପିଲାଙ୍କପାଇଁ ସ୍କୁଲ କରିଛନ୍ତି ବା ବେଶ୍କିଛି ଗରିବ ପିଲାଙ୍କୁ ପାଖରେ ରଖି ସେମାନଙ୍କ ଭରଣପୋଷଣ ଓ ପାଠପଢାର ଦାୟିତ୍ୱ ନେଇଛନ୍ତି । ଲୋକଙ୍କପାଇଁ ମନ୍ଦିର କରିଛନ୍ତି । ପ୍ରବଚନ, ପାରାୟଣ, ଭଜନ, କୀର୍ତ୍ତନ ତଥା ଯଜ୍ଞଅନୁଷ୍ଠାନ ଆଦିର ବ୍ୟବସ୍ଥାକରି ଆମ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଓ ପ୍ରଚାରରେ ସହାୟକ ହୋଇଛନ୍ତି । ସେ କ୍ଷେତ୍ରରେ ତାଙ୍କ ଆଶ୍ରମ ବା ଅନୁଷ୍ଠାନକୁ ଭଙ୍ଗାରୁଜାକରି ତାଙ୍କୁ ସେଠାରୁ ଉଚ୍ଛେଦ କରିବା ପରିବର୍ତ୍ତେ ତାଙ୍କୁ ଆଇନଗତ ସ୍ୱୀକୃତି ଓ ସୁରକ୍ଷା ଦିଆନଯାଇପାରିବ କାହିଁକି? ସରକାର ଓ ଜନସାଧାରଣ ତଥା ଚିନ୍ତାଶୀଳ ବ୍ୟକ୍ତିମାନେ ଟିକେ ଚିନ୍ତାକରନ୍ତୁ । ଏମିତିତ ରାଜ୍ୟର ବିଭିନ୍ନ ସହରବଜାର ଅଂଚଳରେ ଶହଶହ ଏକର ମୂଳ୍ୟବାନ ସରକାରୀ ଜମି ବେଆଇନ୍ଭାବରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନର କବ୍ଜାରେ ବର୍ଷବର୍ଷ ଧରି ରହିଆସିଛି । ସରକାର ସେଦିଗରେ କ’ଣ ଚିନ୍ତା ବା କାର୍ଯ୍ୟ କରିଛନ୍ତି?
କିଛି ଭଣ୍ଡ ‘ବାବା’ଙ୍କ କଳା କାରନାମାକୁ ଆଳକରି କିଛି ନିର୍ଦ୍ଧିର୍ଷ୍ଟ ଗଣମାଧ୍ୟମ ସଂସ୍ଥା, କିଛି ରାଜନୈତିକ ଦଳ ଏବଂ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ‘ବୁଦ୍ଧିଜୀବୀ’, କେବଳ ଆମ ରାଜ୍ୟରେ ନୁହେଁ, ସାରା ଦେଶରେ
ଏକପ୍ରକାର ହିନ୍ଦୁ ବିଦ୍ୱେଷୀ ମନୋଭାବର ସୃଷ୍ଟି ତଥା ପ୍ରୋତ୍ସାହନ କରିଆସୁଛନ୍ତି । ଆଧୁନିକତା ଓ ଧର୍ମ ନିରପେକ୍ଷତାର ଦ୍ୱାହି ଦେଇ ସେମାନେ ପ୍ରକାରାନ୍ତରେ ହିନ୍ଦୁଧର୍ମ ଓ ପରମ୍ପରାର ବିରୁଦ୍ଧାଚରଣ ତଥା ନିନ୍ଦା କରିଆସୁଛନ୍ତି । ଏହାଦ୍ୱାରା ସେମାନେ କେବଳ ଅଣହିନ୍ଦୁ ଧର୍ମପ୍ରଚାରକ ଏବଂ ଅଣହିନ୍ଦୁ ରାଜନୈତିକ ଶକ୍ତି ସମୁହର ହିନ୍ଦୁ ବିରୋଧୀ ଷଡଯନ୍ତ୍ରକୁ ହିଁ ବଳଶାଳୀ କରିଆସିଛନ୍ତି । ଅଣହିନ୍ଦୁ ଧର୍ମାନୁଷ୍ଠାନମାନଙ୍କରେ ମଧ୍ୟ ଅନେକ ଭଣ୍ଡ, ଶଠ ଓ ବ୍ୟଭିଚାରୀ ରହିଛନ୍ତି । ଏହି ଯେପରି ନିକଟରେ ରୋମର ବÿାଟିକାନ୍ ସିଟିରେ ଥିବା ବିଶ୍ୱବିଦ୍ୟାଳୟର ମୁଖ୍ୟ ପାଦ୍ରୀ ଗଣମାଧ୍ୟମରେ ନିଜ କାରନାମା ବିଷୟରେ ପ୍ରକାଶ କରିଥିଲେ ମଧ୍ୟ ତାକୁ ଆମ ଭାରତର ତଥା ଓଡିଶାର ଗଣମାଧ୍ୟମ ଗୁରୁତ୍ୱ ଦେଇନଥିଲା । କିନ୍ତୁ ଯଦି କୌଣସି ହିନ୍ଦୁ ସାଧୁଙ୍କ ଉପରେ କିଏ କିଛି ଆରୋପ କରିଦେଲା ତେବେ ଆମ ତଥାକଥିତ
ସାମ୍ବାଦିକମାନେ ୨୪ଘଣ୍ଟିଆ ନୁ୍ୟଜ୍ ଚ୍ୟାନେଲ୍ରେ ସେହି ଖବରକୁ ବାରମ୍ବାର ପ୍ରଚାର କରନ୍ତି । କାରଣ, ...
ଅପରପକ୍ଷରେ, ନିକଟରେ ଆମ ରାଜ୍ୟରେ ଭିକ୍ଷାକରିବାକୁ ଆସିଥିବା ଜଣେ ନିରୀହ ଅଲେଖ ବାବାଙ୍କୁ କିଛି ଦୁଷ୍ଟଲୋକ ଗରମପାଣି ଢାଳି ମାରିଦେବାକୁ ବସିଥିଲେ । ଏବିଷୟରେ ଖବର ପ୍ରାୟ ନାହିଁ । ରେଢାଖୋଲରେ ରାଧେ ବାବାଙ୍କୁ ଶିବ ମନ୍ଦିରରେ ହତ୍ୟା କରାଗଲା, ସେ ବିଷୟରେ ମଧ୍ୟ କିଛି ଖବର ପ୍ରଚାର କରାଗଲା ନାହିଁ ।
ବର୍ତ୍ତମାନ ପରିସ୍ଥିତିରେ ସମୟଚକ୍ର ଯେପରି ଭାବରେ ଗତିକରୁଛି, ବୋଧହୁଏ ଚେତାଇଦେବା ଉଚିତ ହେବ, ସାଧୁ ସାବଧାନ!

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6