ବ୍ରହ୍ମ ରାଜନୀତି


ନିକଟରେ ଆଗଧାଡିର ଜଣେ ବିରୋଧୀଦଳର ରାଜନେତାଙ୍କୁ ବ୍ରହ୍ମ ବିବାଦ ବିଷୟରେ ପଚାରିବାରୁ ସେ ହସି ହସି କହିଦେଲେ, “ଏସବୁ କେବଳ ରାଜନୀତି । ସାଧାରଣଲୋକଙ୍କୁ ବା ଭକ୍ତସମାଜକୁ ଭକୁଆ ବନାଇବା ସମସ୍ତଙ୍କର ଲକ୍ଷ୍ୟ । ଗୁରୁଜୀଙ୍କଠାରୁ ଆରମ୍ଭ କରି ଗଜପତି, ଆମଭଳି ରାଜନେତା ଏବଂ ଦଇତାପତିମାନେ, ସମସ୍ତେ ନିଜ ନିଜର ପତିଆରାକୁ ବଢାଇବା ପାଇଁ ବା ଅକ୍ଷୁର୍ଣ୍ଣ ରଖିବା ପାଇଁ ଜଗନ୍ନାଥଙ୍କୁ ଅସ୍ତ୍ର କରି ରାଜନୀତି କରୁଛନ୍ତି । କାହାର ଜଗନ୍ନାଥଙ୍କ ପ୍ରତି ପ୍ରକୃତ ଭକ୍ତି ଭାବ ଥିବା ଭଳି ମନେ ହେଉନାହିଁ । କେବଳ ନିଜର ପତିଆରାକୁ ଜାହିର କରିବା ପାଇଁ ଲୋକଦେଖାଣିଆ ଭାବରେ ଗଣମାଧ୍ୟମରେ ବିବୃତି ପରେ ବିବୃତି ଦେବାରେ ବ୍ୟସ୍ତ ଅଛନ୍ତି ।”
ଏ କଥା ଶୁଣିଲା ପରେ ମୋ ମନ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା । ଯଦିଓ ତାଙ୍କ କଥାକୁ ମୁଁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରି ପାରିନଥିଲି ତଥାପି ତାଙ୍କ କଥାକୁ ଅଗ୍ରାହ୍ୟ କରିବାପାଇଁ ମୋ ପାଖରେ ତଥ୍ୟ ନଥିଲା । ଫଳରେ ମୁଁ ତାଙ୍କୁ ବିଶଦଭାବରେ କହିବା ପାଇଁ ଅନୁରୋଧ କରିଥିଲି ।
ପ୍ରଥମେ ସେ ଗୁରୁଜୀଙ୍କ ବିଷୟରେ ଆରମ୍ଭ କରିଥିଲେ । ସେ କହିଥିଲେ, “ଶ୍ରୀମନ୍ଦିର ତଥା ଜଗନ୍ନାଥଙ୍କୁ ଆଧାର କରି ପ୍ରତିଷ୍ଠିତ ହୋଇଥିବା ଗୋବର୍ଦ୍ଧନ ମଠର ବର୍ତ୍ତମାନ ମଠାଧୀଶଙ୍କ ଓଡିଆଙ୍କ ପ୍ରତି ସ୍ନେହ ଓ ମମତା ଥିଲା ଭଳି ମନେ ହେଉନାହିଁ । ଦୀର୍ଘ ଏତେ ବର୍ଷ ଓଡିଶାରେ ରହିଲା ପରେ ମଧ୍ୟ ଓଡିଆରେ କଥା ହେବା ପାଇଁ ସେ କେବେ ଚେଷ୍ଟା କରିନାହାନ୍ତି । କେବଳ ସେତିକି ନୁହେଁ, ଯେଉଁ ଚତୁର୍ଦ୍ଧାମୂର୍ତ୍ତିକୁ ନେଇ ସେ ସବୁବେଳେ ନିଜର ରୋଷ ପ୍ରକାଶ କରନ୍ତି, ସେହି ଚତୁର୍ଦ୍ଧାମୂର୍ତ୍ତିଙ୍କର ବ୍ରହ୍ମ ପରିବର୍ତ୍ତନ ସମୟରେ ହଜାର ହଜାର ଭକ୍ତ ଦୀପ ଜାଳି ସାରା ରାତି ଉଜାଗର ରହିବା ବେଳେ ଗୁରୁଜୀ ପୁରୀ ସହରକୁ ଛାଡି ସୁଦୂର ପଞ୍ଜାବ ଯିବା ଉଚିତ୍ ଥିଲା କି? ଆଉ ଅଧିକ କହିବାକୁ ଠିକ୍ ମନେ କରୁନାହିଁ ।,...
“ଠାକୁର ଘରେ କିଏ? ମୁଁ କଦଳୀ ଖାଇନାହିଁ” ଭଳି ପ୍ରବାଦଟିଏ ଦେଇ ଗଜପତି ମହାରାଜ ନିଜର ଦାୟିତ୍ୱବୋଧକୁ ଗଣମାଧ୍ୟମକୁ ଜଣାଇଦେଲେ । ଏପରିକି ନିଜେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଥାଇ ମଧ୍ୟ ଏକ ସାକ୍ଷାତ୍କାରରେ ଶ୍ରୀମନ୍ଦିରର ପ୍ରଶାସକ ଅନ୍ୟ ପ୍ରଶାସକ(ଓଇଝ)ଙ୍କ ଅପେକ୍ଷା ଅଧିକ ଦକ୍ଷ ବୋଲି କହିବାକୁ ପଛେଇନଥିଲେ । ଏପରି କହିବା ପଛରେ ପ୍ରକୃତ ଉଦେ୍ଧଶ୍ୟ କ’ଣ, ଭକ୍ତସମାଜ ଏବଂ ସରକାର ତର୍ଜମା କରିବା ନିତାନ୍ତ ଆବଶ୍ୟକ!
ଦଇତାପତିମାନେ ଜଗନ୍ନାଥଙ୍କୁ ଭାଇ କରି ନିଜ ନିଜର ପତିଆରାକୁ ରାଜନୀତି ଆଧାରରେ କେବଳ ପୁରୀରେ ନୁହେଁ ସାରା ଓଡିଶାରେ ଜାହିର କରିସାରିଲେଣି । ଅନ୍ୟ ରାଜନେତାମାନେ ସେମାନଙ୍କୁ ନିଜ ନିଜ ଦଳକୁ ଆଣି ଭଲ ପଦପଦବୀ ଦେବାରେ ମଧ୍ୟ ବ୍ୟସ୍ତ ଅଛନ୍ତି । ଏପରି ସ୍ଥଳେ ଦଇତାପତିମାନେ ଶ୍ରୀଜୀଉଙ୍କର ପ୍ରକୃତ ସେବା ନକରି ରାଜନେତାଙ୍କ ଭଳି ତଥାକଥିତ ସେବକ ଭାବରେ ପ୍ରତୀୟମାନ ହେଲେଣି । କେବଳ ପଇସା ବା ଲୋକ ପ୍ରସିଦ୍ଧିକୁ ଆଧାର କରି ସେବା କରିବା ସେମାନଙ୍କର ଧର୍ମ ହେଲାଣି ।
ଏପରି ସ୍ଥଳେ ସରକାର କେବଳ ଚୁପ୍ ହୋଇ ବସି ରହିବା ଠିକ୍ ମନେ କରନ୍ତି । କାରଣ, ବର୍ଷକରେ ଥରେ ରଥଯାତ୍ରା ଏବଂ ବହୁ ବର୍ଷରେ ଥରେ ନବକଳେବର । ଏ ସମୟରେ ବିଭ୍ରାଟ ହେବା ସ୍ୱାଭାବିକ । ତେଣୁ ଏହାକୁ ଗୁରୁତ୍ୱ ନଦେଇ ସରକାର ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଆମ ଭଳି ବିରୋଧୀ ଦଳର ନେତାମାନେ ଚୁପ୍ ହୋଇ ବସିବାକୁ ଠିକ୍ ମନେ କରୁନାହାନ୍ତି । ଆମେ ମଧ୍ୟ ଏହି ସୁଯୋଗର ହାତଛଡା କରିବାକୁ ଚାହୁଁ ନାହୁଁ । ସାଧାରଣ ଲୋକଙ୍କୁ ମତାଇ, ସାଧୁ-ସନ୍ଥମାନଙ୍କୁ ରାଜରାସ୍ତାକୁ ଆଣି ସରକାର ବିରୋଧରେ ବିଷୋଦ୍ଗାର କରିବା ସହ ନିଜ ନିଜର ଭାଇଦା ଉଠାଇବାରେ ବ୍ୟସ୍ତ ଅଛୁ ।”
ତା’ହେଲେ କୁହନ୍ତୁ, ଜଗନ୍ନାଥଙ୍କୁ ନେଇ କିଏ ରାଜନୀତି ନ କରୁଛି!

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6