ମୁଁ ବାବା କାହିଁକି ହେଲି?

 

“ବର୍ତ୍ତମାନ ପରିସ୍ଥିତିରେ ଯେପରି ଅନେକ ବ୍ୟକ୍ତି ଗୃହସ୍ଥ ହୋଇ ସନ୍ନ୍ୟାସୀମାନଙ୍କ ଭଳି ବ୍ୟବହାର ଦେଖାଇ ନିଜର ଲୋଭ, ମୋହ ଆଦି ବାସନାକୁ ପୂରଣ କରିବାପାଇଁ ଭକ୍ତସମାଜକୁ ସୁଦୃଢ କରିବାରେ ଲାଗିଛନ୍ତି ତାହା ନିଶ୍ଚିତ ଭାବରେ ଭକ୍ତସମାଜ ତଥା ସନ୍ଥସମାଜ ପାଇଁ ଏକ ମୁଣ୍ଡବଥାର କାରଣ ହୋଇଛି । କେବଳ ସେତିକି ନୁହେଁ, ଏପରିକି ବହୁ ସନ୍ନ୍ୟାସୀ ମଧ୍ୟ ସନ୍ନ୍ୟାସାଶ୍ରମରେ ରହି ଲୁଚିଛପି ଗୃହସ୍ଥଙ୍କ ଭଳି କାର୍ଯ୍ୟକରୁଥିବା ବେଳେ ନିଜର ମଠ/ଆଶ୍ରମ ବା ସଂସ୍ଥାକୁ ଅଧିକରୁ ଅଧିକ ବଢାଇବା ଉଦେ୍ଧଶ୍ୟରେ ଭିନ୍ନ ଭିନ୍ନ ଭାବରେ ନୂଆ ନୂଆ ଭକ୍ତମାନଙ୍କୁ ଯୋଗାଡ କରିବା ମଧ୍ୟ ସମାଜପାଇଁ ଆଉ ଏକ ମୁଣ୍ଡବଥାର କାରଣ । ସତ କହିବାକୁ ଗଲେ ଏପରି ପରିସ୍ଥିତିରେ ନିଜକୁ ଜଣେ ବାବା ଭାବରେ ପରିଚୟ ଦେବା ଏକ ଲଜ୍ଜାର ବିଷୟ ହେଲାଣି ।” ନିକଟରେ ଜଣେ ଯୁବ ବାବାଙ୍କ ସହ କଥାବାର୍ତ୍ତା ହେଉଥିଲାବେଳେ ସେ ନିଜର ଅକୁହାକଥାକୁ ଉପରୋକ୍ତ ଭାବରେ କହିବାବେଳେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ତାଙ୍କ କହିବାର କଥା ଥିଲା, ସେ ଯେଉଁ ଆଶ୍ରମ/ମଠରେ ରହୁଛନ୍ତି, ତାଙ୍କ ଗୁରୁ ଭିନ୍ନ ଭାବରେ ତାଙ୍କୁ ଶୋଷଣ କରିବା ସହ ଅନ୍ୟଭକ୍ତମାନଙ୍କୁ ମଧ୍ୟ ଶୋଷଣ କରୁଛନ୍ତି । ବିଭିନ୍ନ କୁକାର୍ଯ୍ୟରେ ଲିପ୍ତ ହେବା ସତ୍ତ୍ୱେ ଗୁରୁ କେବେ ନିଜକୁ ଦୋଷୀ ଭାବନ୍ତି ନାହିଁ । ବରଂ ସେ ନିଜକୁ ଜଣେ ଜଗତ୍ଗୁରୁ ତ କେତେବେଳେ ପରମହଂସ ତ କେତେବେଳେ ମହାମଣ୍ଡଳେଶ୍ୱର ଆଦି ପଦରେ ବିଭୂଷିତ କରି ନିଜର ଚିରାଚରିତ କାମନାବାସନାକୁ ପୂରଣ କରିବାରେ ବ୍ୟସ୍ତ ରହୁଛନ୍ତି ।
ଏପରି ଶୁଣିବା ପରେ ମୁଁ ତାଙ୍କୁ ପଚାରିଥିଲି, ତାହେଲେ ତୁମେ କାହିଁକି ତାଙ୍କୁ ଛାଡିଦେଉନାହଁ? ସେ ଭୋ ଭୋ ହୋଇ ପୁଣି କାନ୍ଦିକରି କହିଲେ, ମୋ ଗୁରୁ ଆମ ସମସ୍ତଙ୍କୁ କହିଛନ୍ତି, ପତ୍ନୀ ଯେଭଳି ଏକ ପତିବ୍ରତା ହେବା ଉଚିତ୍ ଠିକ୍ ସେହିଭଳି ଶିଷ୍ୟ ମଧ୍ୟ ଏକ ଗୁରୁଙ୍କ ଆଶ୍ରିତ ହେବା ଉଚିତ୍ । ନଚେତ୍ ନର୍କଗାମୀ ସୁନିଶ୍ଚିତ ।
ଏପରି ଶୁଣିବା ପରେ ମୁଁ ଉକ୍ତ ଯୁବବାବାଙ୍କୁ ଆଶ୍ୱାସନା ଦେଇ କହିଲି, ଏପରି ବାକ୍ୟ କୌଣସି ଶାସ୍ତ୍ରରେ ଉଲ୍ଲେଖ ନାହିଁ । ଏହା ହେଉଛି ତୁମ ଗୁରୁଙ୍କ ମନଗଢା କଥା । ତେଣୁ ତୁମେ ଯଦି ପ୍ରକୃତରେ ଗୁରୁଙ୍କର କାର୍ଯ୍ୟକଳାପରେ ଅଣନିଶ୍ୱାସୀ ହେଲଣି ତେବେ ତାଙ୍କ ଆଶ୍ରମ/ମଠ ବା ସଂସ୍ଥାକୁ ଛାଡି ଦିଅ?
ଏପରି ଶୁଣିବା ପରେ ସେ ଏକ ଦୀର୍ଘ ନିଶ୍ୱାସ ଛାଡି କହିଲେ, ଭାବୁଛି ଛାଡିବି ବୋଲି ହେଲେ ଛାଡିପାରିବି ନାହିଁ ।
କାରଣ...,
ମୁଁ ଯଦି ତାଙ୍କ ମଠ/ଆଶ୍ରମ ବା ସଂସ୍ଥାକୁ ଛାଡିବି ତେବେ ମୋତେ ଏହି ଜଗତକୁ ମଧ୍ୟ ଛାଡିବାକୁ ପଡିବ ।
କଣ କହିବାକୁ ଚାହୁଁଛ?
ହଁ! ଯଦି ମୋର ଗୁରୁ କୌଣସି ସୂତ୍ରରୁ ଏକଥା ଜାଣିପାରନ୍ତି ତେବେ ମୋତେ ଅକାରଣରେ ନିର୍ଯାତନା ଦେବା ସହ ବଦନାମ କରିବାକୁ ଚେଷ୍ଠା କରିବେ । ଏପରିକି ମିଛ କେସ୍ରେ ଜେଲ୍ରେ ଭର୍ତ୍ତି କରାଇବେ । ଦରକାର ପଡିଲେ ସେ ମୋତେ ଗୁଣ୍ଡା ଲଗାଇ ଜୀବନରୁ ଶେଷ କରିଦେବେ ।
କଥାର ଗୁରୁତ୍ୱ ବୁଝିବାକୁ ଯାଇ ପରୋକ୍ଷରେ ପଚାରିଥିଲି, ସେଥିରେ ଅସୁବିଧା କଣ ଅଛି? ଆମକୁ ଆଜି ନହେଲେ କାଲି ଏହି ଜଗତକୁ ଛାଡିବାକୁ ହେବ!
ତାହା ତ ସତ୍ୟ! ହେଲେ ମୋତେ ସେମାନେ ଏହି ଜଗତରୁ ବିଦା କରିଦେବା ପରେ ଏପରି ଭାବରେ ବଦନାମ କରିବେ ତାହା କେବଳ ମୋ ପାଇଁ ନୁହେଁ ମୋର ପିତାମାତାଙ୍କ ପାଇଁ ମଧ୍ୟ କାଳ ହେବ ।
ତେବେ କଣ କରିବାକୁ ଚାହୁଁଛ! ଯଦି ମୋ ଦ୍ୱାରା କିଛି କାର୍ଯ୍ୟ ସମ୍ଭବପର ହୋଇପାରିବ ତେବେ ଦୟାକରି କୁହ ।
ଆପଣ ମୋ ପାଇଁ କିଛି କରିପାରିବେ ନାହିଁ । କିନ୍ତୁ ଯଦି ମୋ ଚିନ୍ତାଧାରାକୁ ଗଣମାଧ୍ୟମ ସହାୟତାରେ ଲୋକଲୋଚନକୁ ଆଣିପାରିବେ ତେବେ ମୋ ଭଳି (ମୁଁ କାହିଁକି ବାବା ହେଲି ବୋଲି ଚିନ୍ତା କରୁଥିବା) ଅନେକ ବାବା ଯେଉଁମାନେ ନିଜ ଗୁରୁ/ଗୁରୁପତ୍ନୀ(ପ୍ରତ୍ୟକ୍ଷ ଏବଂ ପରୋକ୍ଷ), ମଠ/ଆଶ୍ରମ ତଥା ସଂସ୍ଥାମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି ସେମାନେ ନିଜକୁ ଅସହାୟ ମଣିବେ ନାହିଁ । ହୁଏତ ଏପରି ସଂବାଦ ଖବରକାଗଜରୁ ଜାଣିବାପରେ ନିଜର ମନୋବଳକୁ ବୃଦ୍ଧି କରି ନିଜକୁ ନିଜର ତଥାକଥିତ ଗୁରୁଙ୍କୁଠାରୁ ରକ୍ଷା କରିପାରିବେ ।

March 2019
Mo Tu We Th Fr Sa Su
25 26 27 28 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 31