ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି
ହିନ୍ଦୁ ଶାସ୍ତ୍ରଗୁଡ଼ିକର ମତାମତ ଅନୁସାରେ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର । ସୂର୍ଯ୍ୟପୁରାଣରେ ସୂର୍ଯ୍ୟଙ୍କୁ ବ୍ରହ୍ମଙ୍କର ପ୍ରତ୍ୟକ୍ଷ ସ୍ୱରୂପ କୁହାଯାଇଥାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ବିଶ୍ୱାସ କରାଯାଏ, ଏହି କାଳ ମଧ୍ୟରେ ମୃତୁ୍ୟବରଣ କରୁଥିବା ମନୁଷ୍ୟ ବିଷ୍ଣୁଲୋକରେ ସ୍ଥାନ ପାଇଥାଏ । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ‘ଉତ୍ତରାୟଣ ଯାତ୍ରା’ ବା ମକର ସଂକ୍ରାନ୍ତି ଉସôବ ମହାସମାରୋହରେ ପାଳିତ ହୋଇଥାଏ । ଏହି ଯାତ୍ରା ସମ୍ବନ୍ଧରେ ସ୍କନ୍ଦପୁରାଣରେ ଉଲ୍ଲେଖ ରହିଛି ଯେ, ମହା ପୁଣ୍ୟମୟ ମକର ସଂକ୍ରାନ୍ତି ଦିନ ଶ୍ରୀକ୍ଷେତ୍ରରେ ତୀର୍ଥରାଜ ମହୋଦଧିରେ ସ୍ନାନ କରି ଶ୍ରୀମନ୍ଦିରରେ କଳ୍ପବଟ ପ୍ରଦକ୍ଷିଣପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଅଶେଷ ଫଳପ୍ରାପ୍ତି ହୋଇଥାଏ ।
ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ‘ୁଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂରଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମୈଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ । ଘଣ୍ଟ, ଛତା, କାହାଳୀ ପଟୁଆର ସହିତ ତଳିଚ୍ଛୁ ଓ ପ୍ରଧାନୀ (ସେବକ)ଙ୍କ ହାତପୈଠ (ହାତୁଆଣୀ) ହୋଇ ରୋଷଘରୁ ଭୋଗ ଶ୍ରୀଛାମୁକୁ ଆସିଥାଏ । ଭୋଗଟେରା (ଭୋଗପୂଜା ସମୟରେ ସାଧାରଣଙ୍କ ପ୍ରବେଶ ନିରୋଧ କରିବାକୁ ଶ୍ରୀମନ୍ଦିର ଭିତର କଳାହାଟ ଦ୍ୱାର ସମ୍ମୁଖରେ ବନ୍ଧା ହେଉଥିବା କନାର ଲୁଗା) ବନ୍ଧାହେବା ପରେ ‘ଦିଗପାଳ ବଳି’ନୀତି ହୋଇଥାଏ । ଭୋଗ ବଢ଼ିବା ପରେ ପାଣି ପଡ଼ି ଧୋପଖାଳ (ଲୋକମାନଙ୍କୁ ବାହାର କରାଯାଇ ଭୋଗ ବଢ଼ାଯିବା ସ୍ଥାନ ଧୁଆଧୋଇ କରି ପରିଷ୍କାର କରାଯିବା) ହୋଇ ଟେରା ବନ୍ଧାଯାଏ ।
ଇତି ମଧ୍ୟରେ ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଇଥାଏ । ହାଣ୍ଡି କୁଡ଼ୁଆ ଇତ୍ୟାଦି ସଜଡ଼ା ଯାଇଥାଏ । ସୁଦୁ ସୁଆର ସେବକ ଉପରୋକ୍ତ ଦ୍ରବ୍ୟଗୁଡ଼ିକରେ ମକରଚାଉଳ ପ୍ରସ୍ତୁତ କରି ରଖିଥାନ୍ତି । ଏହାପରେ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ / ପନ୍ତିବଡ଼ୁ (ଶ୍ରୀଛାମୁରେ କୋଠଭୋଗ ବାଢ଼ିବା ସେବକ) ସେବକମାନେ ମୁହଁରେ ବାଘମୁହାଁ (ଭୋଗ ନେବାବେଳେ ପାଟିରୁ ଛେପ ନ ପଡ଼ିବା ପାଇଁ ମୁହଁରେ ବନ୍ଧାଯାଉଥିବା କନା) ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁ (ମହାନାୟକ ସେବକ ଓ ପରିଚ୍ଛାଙ୍କ ପ୍ରତିନିଧି)ଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢ଼ିଥାନ୍ତି । ଏହାପରେ ମହାଭୋଇ (ଶ୍ରୀମନ୍ଦିରର ମୁଖ୍ୟ ଗଉଡ଼ ସେବକ) ଦୁଧ, ଗୁଡ଼ିଆ ଶାକର ଓ େ‘ଣାସବୁକୁ ଉପରୋକ୍ତ ପ୍ରକାରେ ଏକଥର ବଡ଼ଦେଉଳ ପରିକ୍ରମା କରି ଜୟବିଜୟ ଦ୍ୱାରଠାରେ ମହାସୁଆରଙ୍କ ଜିମା ଦେଲେ ମହାସୁଆର ତାକୁ ନେଇ ଛାମୁରେ ବାଢ଼ି ଥାଆନ୍ତି । ହଡ଼ପ ନାୟକ ସେବକ (ମହାପ୍ରଭୁଙ୍କ ପାଇଁ ବିଭିନ୍ନ ନୀତିରେ ରୂପାବଟାରେ ବିଡ଼ିଆପାନ ଯୋଗାଉଥିବା ସେବକ) ହଡ଼ପ (ଖିଲିପାନର ଉପକରଣ) ଘରଠାରୁ ଘଣ୍ଟ, ଛତା, କାହାଳୀ ପଟୁଆରରେ ମୁଖ୍ୟ ମନ୍ଦିର ଭିତର ବେଢ଼ାକୁ ଏକଥର ବୁଲି ଭୋଗ ବାଢ଼ିବା ନିମନ୍ତେ ମହାସୁଆରକୁ ଦେଇ ଥାଆନ୍ତି । ମୁଦିରସ୍ତ / ମୁଦିହସ୍ତ / ମୁଦିରଥ (ବିବିଧ ନାମରେ ପରିଚିତ ସେବକ, ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ମହାପ୍ରଭୁଙ୍କ ସେବାକାରୀ) ପ୍ରସାଦ ଲାଗି କରିବା ପରେ ତିନି ବାଡ଼ରେ ତିନି ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି କରନ୍ତି । ଭୋଗ ସରିବା ପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଏ ।
ଏ ସଂପର୍କରେ ସ୍କନ୍ଦପୁରାଣର ବିଷ୍ଣୁଖଣ୍ଡରେ ଉଲ୍ଲେଖ ରହିଛି ଯେ ମହର୍ଷି କଶ୍ୟପ ପୂର୍ବ କଳ୍ପ (ବ୍ରହ୍ମାଙ୍କର ଏକଦିନ ମନୁଷ୍ୟ ଗଣନାରେ ୪୩୨ କୋଟି ବର୍ଷ)ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରୀତି ନିମନ୍ତେ ଶ୍ରୀମନ୍ଦିରରେ ଏହି ମହୋସôବ ପାଳନ କରିଥିଲେ ।
ଏହି ନୀତି ସଂପାଦନ ସମୟରେ ଘଣ୍ଟ, ଛତା, କାହାଳୀର ମହାର୍ଘ ପଟୁଆରରେ ହଜାର ହଜାର ଭକ୍ତ ମନ୍ଦିର ପ୍ରଦକ୍ଷିଣ କରୁଥିବାର ଦୃଶ୍ୟ ଅବର୍ଣ୍ଣନୀୟ । ବିଶେଷଭାବେ ଜଗମୋହନରେ ଶ୍ରୀଜିଉଙ୍କର ମକରଭୋଗ ଲାଭ କରିବା ନିମନ୍ତେ ହେଉଥିବା ପ୍ରବଳ ଆଗ୍ରହ ଦର୍ଶକମାନଙ୍କ ମନରେ ଭାବାନ୍ତର ସୃଷ୍ଟି କରିଥାଏ । ଅର୍ପିତ ଅମୃତୋଗମ ମକରଚାଉଳ (ମକରାନ୍ନ କୈବଲ୍ୟ) ଯେଭଳି ସ୍ୱାଦୁକର, ତାହା କେବଳ ଅନୁଭବୀ ହିଁ କହିପାରିବ । ମହାପୁଣ୍ୟମୟ ଏହି ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ରାଜସୂୟ ଯଜ୍ଞର ‘ଳ ପ୍ରାପ୍ତି ହୋଇଥାଏ । ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି ।

April 2019
Mo Tu We Th Fr Sa Su
1 2 3 4 5 6 7
8 9 10 11 12 13 14
15 16 17 18 19 20 21
22 23 24 25 26 27 28
29 30 1 2 3 4 5