ସମ୍ପାଦକୀୟ
ପରୀ ଆଖଡା ପାଇଁ ମାନ୍ୟତା ନାହିଁ କାହିଁକି?
ନିକଟରେ ମଧ୍ୟ ପ୍ରଦେଶର ଉଜ୍ଜୈନରେ ଚାଲିଥିବା ସିଂହସ୍ଥ ମହାପର୍ବରେ ମହିଳା ଆଖଡାଙ୍କୁ ପୃଥକ ଭାବେ ସ୍ନାନ ପାଇଁ ସମୟ ନଦିଆଯିବାରୁ ଏକ ବିତର୍କିତ ଏବଂ ଅପ୍ରୀତିକର ପରିସ୍ଥôତି ସୃଷ୍ଟି ହୋଇଥିଲା । ଏହି ମହିଳା ନାଗା ଆଖଡା ବା ନାଗା ସାଧ୍ୱୀ ଆଖଡା, ପରୀ ଆଖଡା ଭାବରେ ପରିଚିତ ଏବଂ ଏହା ଏକମାତ୍ର ମହିଳା ସାଧ୍ୱୀ ଆଖଡା ବୋଲି ଜଣାଯାଇଛି । ଅନ୍ୟ ୧୩ଟି ନାଗା ସାଧୁ ଆଖଡା ମାନଙ୍କୁ କୁମ୍ଭମେଳାର ମହାସ୍ନାନ ବା ସାହି ସ୍ନାନପାଇଁ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନର ବ୍ୟବସ୍ଥା କରାଯାଇଥାଏ । ଏହି ଏକମାତ୍ର ମହିଳା ଆଖଡା, ପରୀ ଆଖଡାର ସାଧ୍ୱୀମାନଙ୍କ ସ୍ନାନପାଇଁ ମଧ୍ୟ ସେହିପରି ମାନ୍ୟତା ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ଆଖଡାର ପ୍ରମୁଖ ସାଧ୍ୱୀ ତ୍ରିକାଳ ଭବନ୍ତା କର୍ତ୍ତୃପକ୍ଷଙ୍କ ନିକଟରେ ଦାବୀ କରିଥିଲେ । ତାଙ୍କର ଏହି ଦାବି ଅଗ୍ରାହ୍ୟ କରିଦିଆଯିବାରୁ ସାଧ୍ୱୀ ତ୍ରିକାଳ ଭବନ୍ତା ୧୦ ଦିନ ଆମରଣ ଅନଶନରେ ବସିଲେ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହେବା ପରେ ସେ ଜୀବନ୍ତ ସମାଧି ନେବାକୁ ବସିଥିଲେ । ତାଙ୍କର ଅଧା ଶରୀର ପୋତି ହୋଇଥିବାବେଳେ ସେଠାର ଏଡିଏମ୍ଙ୍କ ସହିତ ପୁଲିସ ବଳ ଘଟଣାସ୍ଥଳରେ ପହଞ୍ଚô ସାଧ୍ୱୀ ଭବନ୍ତାଙ୍କୁ ସମାଧି ନେବାରୁ କ୍ଷାନ୍ତ କରାଇ ଗର୍ତ୍ତ ମଧ୍ୟରୁ ବାହାର କରିଥିଲେ । ଏହାପରେ ଭବନ୍ତା ଓ ତାଙ୍କ ଶିଷ୍ୟାମାନଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ ଏବଂ କୋର୍ଟ ସେମାନଙ୍କୁ ଜେଲ ପଠାଇ ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଏପରି ଗୋଟିଏ ଅପ୍ରୀତିକର ପରିସ୍ଥôତି ସୃଷ୍ଟି ହେବାର କ’ଣ ଆବଶ୍ୟକତା ଥିଲା ଏବଂ ଏଥିପାଇଁ ଦାୟୀ କିଏ?
ବେଶ୍ ପ୍ରାଚୀନ କାଳରୁ ନାଗା ସାଧୁମାନେ ବୈଦିକ ସନାତନ ଧର୍ମ ବା ହିନ୍ଦୁ ଧର୍ମ ପରମ୍ପରାର ରକ୍ଷକଭାବରେ କାର୍ଯ୍ୟ କରିଆସିଛନ୍ତି । ନାଗା ସାଧୁ ହେବା ଖୁବ୍ କଠିନ ଏବଂ ଏଥିପାଇଁ କଠୋର ଅନୁଶାସନ, ନିଷ୍ଠା, ଗୁରୁଭକ୍ତି ତଥା ସମର୍ପଣ ଭାବର ଆବଶ୍ୟକତା ରହିଛି । ନାଗା ଶବ୍ଦର ଅର୍ଥ ପାହାଡି । ସେମାନେ ପାହାଡ, ପର୍ବତ ତଥା ବଣଜଙ୍ଗଲଆଦି ନିର୍ଜନ,ନିକାଂଚନ ସ୍ଥାନରେ ରହି ସାଧନା କରୁଥିବାରୁ, ତାଙ୍କୁ ନାଗା ସାଧୁ ବୋଲି କୁହାଯାଏ । ଧର୍ମ ଏବଂ ମାତୃଭୂମି ପ୍ରତି ସେମାନେ ସମ୍ପୂର୍ଣ୍ଣ ସମର୍ପିତ । ଆଦି ଶଙ୍କରାଚାର୍ଯ୍ୟ ହିନ୍ଦୁ ବା ସନାତନ ଧର୍ମର ସୁରକ୍ଷାପାଇଁ ଏହି ନାଗା ସାଧୁ ସଂଗୋଷ୍ଠୀର ପୁନର୍ଗଠନ କରିଥିଲେ ଏବଂ ସେମାନଙ୍କୁ ଆବଶ୍ୟକ ସ୍ଥଳେ ଅସ୍ତ୍ର ଧାରଣ କରିବାକୁ ପରାମର୍ଶ ଦେଇଥିଲେ । ସେତେବେଳଠାରୁ ନାଗା ସାଧୁଗୋଷ୍ଠୀ ମାନଙ୍କୁ ଆଖଡା ବୋଲି ଅଭିହିତ କରାଯାଉଛି । ମୂଳତଃ ୧୩ ଗୋଟି ନାଗା ସାଧୁ ଆଖଡା ରହିଛି ଏବଂ ପରବର୍ତ୍ତୀ କାଳରେ ମହିଳା ନାଗା ସାଧ୍ୱୀଗୋଷ୍ଠୀର ଉଦ୍ଭବ ହୋଇଛି । ତେଣୁ, ବର୍ତ୍ତମାନ ପରିସ୍ଥôତିରେ ନାଗା ସାଧୁ ଆଖଡାପରି ନାଗା ସାଧ୍ୱୀ ଆଖଡାକୁ କୁମ୍ଭ ମହାସ୍ନାନ ଇତ୍ୟାଦିପାଇଁ ସମାନ ମାନ୍ୟତା ଦିଆନଯିବ ବା କାହିଁକି? କିଛି ଦିନ ପୂର୍ବେ ସିଙ୍ଗଣାପୁର ଶନି ମନ୍ଦିର ଏବଂ ତ୍ର୍ୟମ୍ବକେଶ୍ୱର ମନ୍ଦିର ଆଦିରେ ମହିଳାମାନଙ୍କର ପ୍ରବେଶାଧିକାରକୁ ନେଇ ବେଶ୍ କିଛି ତୁମ୍ବିତୋଫାନ କରାଯାଇଥିଲା ଏବଂ ମାନ୍ୟବର ଅଦାଲତ ମହିଳାମାନଙ୍କର ଯେ କୌଣସି ମନ୍ଦିରରେ ଅବାଧ ପ୍ରବେଶାଧିକାରକୁ ସ୍ୱୀକୃତି ଦେଲେ । ତେବେ ସେହି ଯୁକ୍ତି ଅନୁସାରେ କୁମ୍ଭସ୍ନାନାଦି ପାଇଁ ସାଧ୍ୱୀ ଆଖଡାର ଦାବିକୁ ସମ୍ମାନ ନଦେଇ ପ୍ରଶାସନ ଏବଂ ଅଦାଲତ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦେଲେ କିପରି? ଏଠାରେ ସୂଚିତ କରାଯାଇପାରେ ଯେ, ଅଦାଲତଙ୍କ ଆଦେଶ ବଳରେ ହିନ୍ଦୁ ମନ୍ଦିରକୁ ଜବରଦସ୍ତି ପ୍ରବେଶ କରିପାରିଥିବା ଭୂମାତା ଗ୍ୟାଙ୍ଗ୍ର ମୁଖ୍ୟ ତୃପ୍ତି ଦେଶାଇ ଏବଂ ତାଙ୍କ ଗ୍ୟାଙ୍ଗ୍ର ସଦସ୍ୟମାନେ ମୁସଲମାନ ଉପାସନା ସ୍ଥଳ ହାଜି ଅଲି ମଧ୍ୟକୁ ପ୍ରବେଶ କରିବାରେ ଅସଫଳ ହୋଇଛନ୍ତି ଏବଂ ଏଥିନେଇ ପ୍ରଶାସନ ବା ଅଦାଲତ କୌଣସି ପ୍ରକାରେ ତାଙ୍କର ସହାୟତା କରିନାହାନ୍ତି ବା ତାଙ୍କ ବିରୁଦ୍ଧରେ କୌଣସି ଆଦେଶ ମଧ୍ୟ ଦେଇନାହାନ୍ତି । ଅର୍ଥାତ୍ କେବଳ ହିନ୍ଦୁ ଧର୍ମପରମ୍ପରାକୁ ନେଇ ସରକାର ବା ଅଦାଲତ ଏପରି ନିଷ୍ପତ୍ତି ନେଇପାରନ୍ତି ! ତେବେ ଏକଥା ମନେରଖିବାକୁ ହେବ ଯେ, ଆମ ସନାତନ ବା ହିନ୍ଦୁ ଧର୍ମ ପରମ୍ପରାରେ ନାରୀ ଓ ପୁରୁଷ ମଧ୍ୟରେ ମଣିଷ ଭାବରେ ବା ଭକ୍ତ ଭାବରେ କୌଣସି ବାଛବିଚାର କରାଯାଇନାହିଁ । ତେଣୁ ଉଭୟେ ଯେ କୌଣସି ପୂଜା, ଧାର୍ମିକ ଅନୁଷ୍ଠାନ ବା ସାଧନା କରିପାରିବେ । କିନ୍ତୁ, ଯେପରି ସ୍ନାନଶୌଚ ନହୋଇ କେହି ଆନୁଷ୍ଠାନିକ ପୂଜାଆଦି କରିବାରେ ବା ମନ୍ଦିର ଯିବାରେ ବାରଣ ଅଛି, ସେହିପରି, ପୁରୁଷ ବା ନାରୀ କେଉଁ ସମୟରେ, କେଉଁ କାରଣପାଇଁ କେଉଁ ମନ୍ଦିରକୁ ନଯିବା କଥା, ବା କେଉଁ ପୂଜାନୁଷ୍ଠାନ ଆଦି ନକରିବା କଥା, ସେଥିପାଇଁ ନୀତିନିୟମ ରହିଛି । ଯେଉଁମାନେ ଧର୍ମପରମ୍ପରାକୁ ମାନନ୍ତି, ସେମାନେ ସ୍ୱାଭାବିକ ଭାବରେ ନୀତିନିୟମକୁ ପାଳନକରନ୍ତି । ଯେଉଁମାନଙ୍କର ଧର୍ମପରମ୍ପରାପ୍ରତି ସମ୍ମାନ ନାହିଁ, ସେମାନଙ୍କପାଇଁ ସେସବୁର କିଛି ମୂଲ୍ୟ ନାହିଁ ।

September 2017
Mo Tu We Th Fr Sa Su
28 29 30 31 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 1